ରାସ୍ତା କଡ଼ରେ ଠିଆ ହୋଇଥିବା ରୋଲରକୁ ଧକ୍କା ଦେଲା ବାଇକ୍: ଜଣେ ମୃତ, ୨ଗୁରୁତର

କୋରାପୁଟ(କେନ୍ୟୁଜ୍): କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳରେ ଏକ ରୋଲରକୁ ଧକ୍କା ଦେଲା ବାଇକ୍। ଯାହାଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଚୈତନ୍ୟ ଖିଲର। ଆହତ ପୂର୍ବ ଖିଲର ଓ ଶୁକ୍ରା ଖିଲରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ୩ଜଣ ବ୍ୟକ୍ତି ଗୋଟିଏ ପରିବାର ହୋଇଥିବାବେଳେ ଦଶପୁଟ ଅଞ୍ଚଳର ବେୋଲି ଜଣାପଡିଛି।
ସାତ ସେମିଲି ଓ ଥୁବା ନିକଟରେ ରାସ୍ତା ମରାମତି କାମ ଚାଲିଥିବାରୁ ରାସ୍ତାକାମରେ ନିୟୋଜିତ ରୋଲରଟି ରାସ୍ତା କଡ଼ରେ ଠିଆ ହୋଇଥିଲା। ଗତକାଲି ସନ୍ଧ୍ୟା ସମୟରେ ଏକ ବାଇକ୍ରେ ତିନି ଜଣ ପାଡୁଆ ଅଞ୍ଚଳରୁ ଦଶପୁଟ ଆସୁଥିଲେ। ନନ୍ଦପୁର ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ରୋଲର ସହ ବାଇକ୍ଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା। ଯାହାଦ୍ବାରା ଘଟଣାସ୍ଥଳରେ ଚୈତନ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ପୂର୍ବ ଓ ଶୁକ୍ର ଆହତ ହୋଇଥିଲେ। ଉଭୟଙ୍କୁ ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।