Below header

ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଗଲେ ବ୍ରାହ୍ମଣୀ ନଦୀରେ ଭାସି ଯାଉଥିବା ବ୍ୟକ୍ତି, ରକ୍ଷା କଲେ ଅଗ୍ନିଶମ କର୍ମଚାରୀ

ବଣାଇ (କେନ୍ୟୁଜ୍‌) : ଫଟୋରେ ହସୁଥିବା ଏ ବ୍ୟକ୍ତି ଜଣକ କିଛି ସମୟ ପୂର୍ବରୁ ଜୀବନ ମରଣ ସମସ୍ୟା ଭିତରେ ଥିଲେ । ହେଲେ ମୃତ୍ୟୁକୁ ଜୟ କରିଥିବାରୁ ଏବେ ଭାରି ଖୁସି । କଥାରେ ଯେତେବେଳେ ଭଗବାନ ରଖିବେ ତାକୁ କେହି ବି ମାରି ପାରିବେ ନାହିଁ । ଏମିତି ଏକ ଘଟଣାରେ ବିପଦର ବନ୍ଧୁ ଭଳି ନଦୀରେ ବୁଡ଼ି ଯାଉଥିବା ଲୋକଟିକୁ ଉଦ୍ଧାର କରିଛନ୍ତି ବଣାଇ ଓ ଲହୁଣୀପଡ଼ା ଅଗ୍ନିଶମ ବିଭାଗ ।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀରେ ଭାସି ଯାଇଥିଲେ ଜଣେ ବ୍ୟକ୍ତି । ସେ ହେଉଛନ୍ତି ବୁଢ଼ୀପାଲି ଗାଁର ଜିତବହନ ଓରାମ । ସେ ବଣାଇରୁ କାମ ସାରି ନିଜ ଗାଁକୁ ଫେରିବା ଲାଗି ବ୍ରାହ୍ମଣୀ ନଦୀକୁ ପହଁରି ପହଁରି ପାରି ହେଉଥିଲେ । ତେବେ ଏତିକି ବେଳେ ନଦୀରେ ଅଧିକ ସ୍ରୋତ ଥିବାରୁ ସେ ପ୍ରାୟ ଦୁଇ କିଲୋମିଟର ଦୂରକୁ ଭାସି ଯାଇଥିଲେ । ତେବେ ତାଙ୍କର ଭାଗ୍ୟ ଜୋର ଥିଲା । ସେ ନଦୀରେ ଥିବା ପଥର ଏବଂ ଗଛକୁ ଧରି ଅଟକି ଯାଇଥିଲେ ।

RESCUE-2

ଅନ୍ୟପକ୍ଷରେ ଜିତବହନ ଭାସି ଯାଉଥିବା ବେଳେ କିଛି ଲୋକ ତାଙ୍କୁ ଦେଖିଥିଲେ । ସେମାନେ ତୁରନ୍ତ ବଣାଇ ଅଗ୍ନିଶମ ବିଭାଗକୁ ଖବର ଦେଇ ଥିଲେ । ସେମାନେ ମଧ୍ୟ କାଳ ବିଳମ୍ବ ନକରି ବାହାରି ପଡ଼ିଥିଲେ । ଏକା ସାଙ୍ଗରେ ବଣାଇ ଏବଂ ଲହୁଣୀପଡ଼ା ଅଗ୍ନିଶମ ବିଭାଗର ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ପ୍ରାୟ ଦୁଇ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପରିଶ୍ରମ କରି ଜିତବହନଙ୍କୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ତେବେ ଅଳ୍ପକେ ମୃତ୍ୟୁ ମୁଖରୁ ରକ୍ଷା ପାଇଥିବାରୁ ଭଗବାନ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.