Below header

ହାତ ନାହିଁ କିନ୍ତୁ ଗୋଟିଏ ହାତରେ ଚାଲିଛି ଜୀବନ ଯାତ୍ରା

ହାତୁଡ଼ିର ପାହାରରେ ଥରି ଉଠୁଛି ନିଶବ୍ଦ ଜଙ୍ଗଲର ଛାତି । ଆଉ ଶକ୍ତ ପଥରକୁ ହାତୁଡ଼ିରେ ପିଟୁଥିବା ଲୋକଟି ଦେଖିଲେ ଆପଣଙ୍କ ଛାତି ବି ଫାଟିଯିବ ଦୁଃଖରେ । ଗୋଟିଏ ହାତ ନାହିଁ । ପେଟ ପାଇଁ ଦାନା ଯୋଗାଡ଼ ଲାଗି ଅନ୍ୟ ହାତଟିରେ ପଥର ଭାଙ୍ଗି ଚାଲିଛନ୍ତି ….. ଡେମକା ମୁଣ୍ଡା । ସଂଘର୍ଷ ତାଙ୍କର ଏବେକାର ନୁହେଁ । ନାବାଳକ ଥିବା ବେଳେ ମାତ୍ର ୧୪ ବର୍ଷ ବୟସରୁ ହଲର୍‌ରେ ବାମ ହାତ କଟିଗଲା । ତାପରେ ସେ ଡାହାଣ ହାତ ହିଁ ପାଲଟିଲା ସାହା ଭରସା । ତେବେ ନିଜକୁ ଅସହାୟ ମଣିଲେନି ।  କା ଦାରିଦ୍ର୍ୟ ବି ରୋକି ପାରିଲାନି ତାଙ୍କ ବାଟ । ହାତଗୋଡ଼ ଥାଇବି ଅନେକ ଲୋକ ଭିକ ମାଗି ଚଳୁଛନ୍ତି । ପର ପାଖରେ ହାତ ପତାଉଛନ୍ତି ।  ହେଲେ ସ୍ୱାଭିମାନୀ ଡେମେକା କିନ୍ତୁ ସେ କାମ କଲେ ନାହିଁ । ନିଜର ସେହି ଗୋଟିଏ ହାତ ଉପରେ ଭରସା କଲେ । ଅଭ୍ୟାସ କରି ସବୁ କାମ ଡାହାଣ ହାତରେ କରି ଚାଲିଲେ । ପଥର ଭାଙ୍ଗିବା, ପଥର ବୋହି ସଜାଡ଼ିବା, ଜାଲ ପକାଇ ମାଛ ଧରିବା, ସାଇକେଲ ଚଳାଇବା ଠୁ ଆରମ୍ଭ କରି ହାଟ ବଜାର କାମ ବି କରୁଛନ୍ତି ବେଶ୍‌ ସହଜ ଭାବେ । କେବେ ଭାବି ନାହାନ୍ତି ନିଜର ଗୋଟିଏ ଅଙ୍ଗ ନାହିଁ ବୋଲି ।

ତେବେ ଦୁଃଖ ଯେମିତି ଡେମେକାଙ୍କ ପିଛା ଛାଡ଼ିବାର ନାଁ ନାହିଁ । ବାହା ହେଲେ ପରିବାର ଗଢ଼ିଲେ । ପୁଅ ଜନ୍ମ କରି ତାକୁ ବଢ଼ାଇ କୁଢ଼ାଇ ମଣିଷ କଲେ । ହେଲେ ପୁଅ ବୋହୁ ତାଙ୍କୁ ଛାଡ଼ି ଅଲଗା ହୋଇଗଲେ । ହେଲେ ସ୍ତ୍ରୀ ଧର୍ମ ନିଭାଇ ରାଇମଣି ପାଖେ ପାଖେ ରହିଛନ୍ତି ସ୍ୱାମୀର । ସବୁ କାମରେ ଅଧା ବୋଝ ଉଠାଇଛନ୍ତି ।  ଭଙ୍ଗା ଦଦରା ମାଟି ଘରଟିଏ । ଖରା, ବର୍ଷା ରୋକିବାକୁ ଘୋଡ଼ା ହୋଇଛି ପଲିଥିନ୍‌ ।  ଆଉ ବେଶି ବର୍ଷା ହେଲେ ଅନ୍ୟ କାହା ଘରେ ଯାଇ ଆଶ୍ରୟ ନିଅନ୍ତି ଡେମେକା ଓ ରାଇମଣି ।

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ପଞ୍ଚାତ ବରଘାଟ ଗାଁର ବାସିନ୍ଦା ହେଉଛନ୍ତି ଡେମେକା ମୁଣ୍ଡା । ସରକାରୀ ସାହାଯ୍ୟ ହିସାବରେ ମନରେଗା ଯୋଜନାରେ କାମ ହିଁ ତାଙ୍କର ସାହା ଭରସା । କାରଣ ଗୋଟିଏ ହାତ ନଥିବାରୁ ଅନ୍ୟ କେହି ତାଙ୍କୁ କାମ ଦିଅନ୍ତି ନାହିଁ । ଏହାଛଡ଼ା ମାସକୁ ମିଳେ ୧୦ କିଲୋ ବିପିଏଲ୍‌ ଚାଉଳ । ହେଲେ ଦୁଇ ଦୁଇଥର ଅଙ୍ଗନବାଡ଼ି ଦିଦିଙ୍କ ସହ ଭୀମଭୋଇ ସାମର୍ଥ୍ୟ ଶିବିରକୁ ଯାଇଛନ୍ତି ସିନା କିନ୍ତୁ ତାଙ୍କୁ ଏବେବି ମିଳିନି ଦିବ୍ୟାଙ୍ଗ ଭତ୍ତା । ପତ୍ନୀ ରାଇମଣି ଦିନ ମଜୁରୀ କରି ଯାହା ଆଣନ୍ତି ସେଥିରେ ଚଳେ ଏହି ଦୁଇ ପ୍ରାଣୀ କୁଟୁମ୍ବ । ସେହିପରି ଘର ଖଣ୍ଡିଏ ପାଇଁ ଅନେକ ଥର ପଞ୍ଚାୟତ ଅଫିସ୍‌କୁ ଦୌଡ଼ିଛନ୍ତି । ହେଲେ କେହି ତାଙ୍କ ପ୍ରତି ଧ୍ୟାନ ଦେଇ ନାହାନ୍ତି । ତାଙ୍କର ଗୋଟିଏ ହାତରେ କାମକୁ ନେଇ ଅନେକ ଜାଗାରେ ପ୍ରଶଂସା ମିଳିଛି । କିନ୍ତୁ ପ୍ରଶଂସାରେ ତ ପେଟ ପୂରେନା କି ଘରଟିଏ ଗଢ଼ି ହୁଏନା । ଅବଶ୍ୟ ଶେଷରେ ତାଙ୍କର ଗୋଟିଏ ଭିଡିଓ ସ୍ଥାନୀୟ ବିଡିଓଙ୍କ ନଜରକୁ ଆମେ ଆଣିଥିଲୁ । ଉଠାଇଥିଲୁ ତାଙ୍କ ସମସ୍ୟାର କଥା । ବିଡିଓ ଡେମେକାଙ୍କୁ ପ୍ରଶଂସା କରିବା ସହିତ ତଙ୍କ ପାଇଁ ଭିନ୍ନକ୍ଷମ ଭତ୍ତା ବ୍ୟବସ୍ଥା କରିଛନ୍ତି । ଯାହା ଖୁବ୍‌ ଶୀଘ୍ର ମିଳିବ । ସେହିପରି ନାଲିଫିତା ତଳେ ଅଟକିଥିବା ତାଙ୍କ ପକ୍କାଘର ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବ ବୋଲି ମିଳିଛି ପ୍ରଶାସନିକ ପ୍ରତିଶ୍ରୁତି । ପକ୍କା ଘରଟିଏ ହେଲେ ବାସସ୍ଥାନ ସମସ୍ୟା ଦୂର ହେବ । ଭିନ୍ନକ୍ଷମ ଭତ୍ତା ୬୦୦ ଟଙ୍କା ମିଳିଲେ ଅନେକ ଦୁଃଖରୁ ବର୍ତ୍ତି ଯିବେ ଡେମେକା ଓ ରାଇମଣି । କଥାରେ ଅଛି କର୍ମ କରୁଥିବା ଲୋକକୁ ଭଗବାନ ସାହା ହୁଅନ୍ତି । ଯାହା ଘଟିଛି ଡେମେକାଙ୍କ କ୍ଷେତ୍ରରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.