Below header

ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ

ରାୟଗଡା : ଆଜିଠାରୁ ମାଓ ସହିଦ ସପ୍ତାହ। ଏହାକୁ ସଫଳ କରିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ମାଓ ସଂଗଠନଗୁଡିକ ଆହ୍ଵାନ କରିଛନ୍ତି । ରାୟଗଡା ଜିଲ୍ଲାର ନିୟମଗିରି କୁର୍ଲି ଗାଁରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ବାଶଧାରା-ଘୁମୁସର-ନାଗବଳୀ ଡିଭିଜନ୍ ପକ୍ଷରୁ ଏହି ପୋଷ୍ଟର ମରାଯାଇଛି। ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ମାଓ ଉପଦ୍ରୁତ ଜିଲ୍ଲାଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି । ରାୟଗଡା ଜିଲ୍ଲାରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାୟଗଡ଼ା ଜିଲ୍ଲାର ସମସ୍ତ ଥାନାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ନିୟମଗିରି ଅଞ୍ଚଳରେ ମାଓ ସଂଗଠନର ଦବଦବା ରହିଥିବାରୁ କାଶିପୁର, କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡ଼ା ଓ ଅମ୍ବାଦଳା ଥାନାକୁ ହାଇଆଲର୍ଟ ଜାରି କରାଯାଇଛି। କଲ୍ୟାଣସିଂହପୁର, ନିୟମଗିରି ଅଞ୍ଚଳରେ ମିଳିତ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି। ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି। ସେହିପରି ରାୟଗଡ଼ା ସହରକୁ ପ୍ରବେଶ କରୁଥିବା ସମସ୍ତ ସଡ଼କ ପଥରେ ସୁରକ୍ଷା ଯାଞ୍ଚ ଚାଲିଛି।

ମାଓ ସହିଦ ସପ୍ତାହ ପାଇଁ କୋରାପୁଟରେ ମଧ୍ୟ ହାଇଆଲର୍ଟ। ବିଭିନ୍ନ ସ୍ଥାନରେ ଯାନବାହାନ ଯାଞ୍ଚ ଚାଲିଥିବାବେଳେ ସୁରକ୍ଷା ଦୃଷ୍ଟିରୁ ଜୟପୁରରୁ ୨୭ଟି ରୁଟ୍ରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି। ମାଓ ଗତିବିଧି ଉପରେ କଡ଼ା ନଜର ରଖାଯାଇଥିବା କୋରାପୁଟ ଏସପି କହିଛନ୍ତି।

ମାଓବାଦୀଙ୍କ ସହିଦ୍ ସପ୍ତାହ ପାଇଁ ଜୟପୁରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଜିଲ୍ଲାର ୧୭ଟି ରୁଟରେ ୨୮ଟି ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି। ହେଲେ ବେସରକାରୀ ବସ୍ ଚଳାଚଳ କରୁଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏଚ୍-୫୯ ନିକଟରେ ମଧ୍ୟ ମାଓ ପୋଷ୍ଟର। ଓଡ଼ିଶା ରାଜ୍ୟ କମିଟି ମାଓ ସଂଗଠନ ପକ୍ଷରୁ ବ୍ୟାନର ଓ ପୋଷ୍ଟର ଲଗାଯାଇଛି। ମାଓ ସପ୍ତାହ ପାଳନ କରିବାକୁ ପୋଷ୍ଟରରେ ଆହ୍ଵାନ ଦିଆଯାଇଛି। ଫାଶୀବାଦୀ ଦମନ ଅଭିଯାନ ଅପରେସନ୍ ଗ୍ରୀନହଣ୍ଟକୁ ବିରୋଧ କରାଯାଇଛି। ଯୁବକ ଯୁବତୀଙ୍କୁ ପିଏଲଜିଏରେ ସାମିଲ କରିବାକୁ ଏଥିରେ ଆହ୍ଵାନ ଦିଆଯାଇଛି ।

ବରଗଡ଼ ଜିଲ୍ଲାରେ ବି ମାଓ ପୋଷ୍ଟର। ଜିଲ୍ଲାର ସୋହେଲା ଥାନା ଖପାନପାଲି ଏବଂ ମେଲଛାମୁଣ୍ଡା ଥାନା କେରମେଲି ଗାଁରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ରାସ୍ତା କଡ଼ରେ ମାଓ ପୋଷ୍ଟର ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସହିଦ୍ ସପ୍ତାହରେ ମାଓ ପୋଷ୍ଟର ଯୋଗୁ, ବରଗଡ଼ରେ ମାଓବାଦୀମାନେ ସକ୍ରିୟ ଥିବା ଜଣାପଡ଼ୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.