Below header

୯ରେ ବାହୁଡ଼ିବେ ମହାପ୍ରଭୁ, ଶ୍ରଦ୍ଧାରେ ମାଉସୀ ମା ପ୍ରସ୍ତୁତ କରୁଛନ୍ତି ପୋଡପିଠା

ପୁରୀ(କେନ୍ୟୁଜ୍):ନବଦିନାତ୍ମକ ଘୋଷଯାତ୍ରା ସାରି ଆସନ୍ତା ୯ରେ ବାହୁଡ଼ି ଆସିବେ ମହାପ୍ରଭୁ। ଆଉ ଫେରିବା ବାଟରେ ବଡ଼ଦାଣ୍ତ ସ୍ଥିତ ମାଉସୀ ମା ମନ୍ଦିର ସମ୍ମୁଖରେ ଅଟକିବ ରଥ। ଶ୍ରଦ୍ଧାରେ ମାଉସୀ ମା ପ୍ରସ୍ତୁତ କରୁଛନ୍ତି ପୋଡପିଠା। ଆଉ ଏହି ପୋଡ଼ପିଠା ବ୍ରହ୍ମାଣ୍ତକର୍ତ୍ତାଙ୍କୁ ଖୁଆଇ ମାଉସୀ ମା ମେଲାଣୀ ଦେବେ। ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ଅର୍ଦ୍ଧଶୋଷିନୀ ବା ଅର୍ଦ୍ଧାଶିନୀ ମାଉସୀ ମା ଶ୍ରୀକ୍ଷେତ୍ରକୁ ସୁରକ୍ଷା ଯୋଗାଇ ଆସୁଛନ୍ତି।

ଜନସୃତି, ବିଶ୍ୱାସ ଅନୁଯାୟୀ ବଡ଼ଦାଣ୍ତର ମଧ୍ୟଭାଗରେ ଥିବା ଶ୍ରଜଗନ୍ନାଥଙ୍କ ମାଉସୀ ହେଉଛନ୍ତି ଅର୍ଦ୍ଧାଶିନୀ ବା ଅର୍ଦ୍ଧଶୋଷିନୀ। ପ୍ରଳୟ ଜଳକୁ ଶୋଷଣ କରୁଥିବାରୁ ତାଙ୍କର ଏପରି ନାଁ। ପ୍ରାକୃତିକ ଦୁର୍ବିପାକରୁ ସେ ଶ୍ରକ୍ଷେତ୍ରକୁ ସୁରକ୍ଷା ଦେଇଥାନ୍ତି। ପରମ୍ପରା ଅନୁଯାୟୀ ବାହୁଡ଼ା ଦିନ ରଥ ଶ୍ରୀମନ୍ଦିର ଅଭିମୁଖେ ଫେରୁଥିବା ସମୟରେ ମାଉସୀମା ପ୍ରସ୍ତୁତ କରିଥିବା ପୋଡପିଠା ପୁତୁରା, ଝିଆରୀଙ୍କୁ ଆଦର ଓ ଶ୍ରଦ୍ଧାରେ ଖୁଆଇବେ। ଏହା କାହିଁ କେଉଁ କାଳର ପରମ୍ପରା ବୋଲି ମାଉସୀ ମାଙ୍କ ସେବାୟତ କହିଛନ୍ତି।

ବିଧି ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ଦିନ ପାରମ୍ପରିକ ବିଧିରେ ଚୁଲି ନିର୍ମାଣ କରାଯାଇ ପୋଡ଼ପିଠା ପ୍ରସ୍ତୁତ ହେଉଛି। ଛେନା, ଅଟା, ଚିନି, ଅଳେଇଚ, ଲବଙ୍ଗ, ପିସ୍ତା ବାଦାମ ଏବଂ ଘିଅର ଏକ ମିଶ୍ରଣ ପ୍ରସ୍ତୁତ ହୁଏ। ଇଟାରେ ଚୁଲି ପ୍ରସ୍ତୁତ କରି ଚୁଲିରେ ପାଣିହାଣ୍ତି ବସାଇ ଗରମ କରାଯାଏ। ହାଣ୍ତି ଉପରେ ଏକ ଜାଲି ପଡ଼ିଥାଏ। ଜାଲିରେ ଏକ ପାତ୍ର ପକାଯାଇ ଅଟା ମିଶ୍ରଣକୁ ରଖାଯାଏ। ଗରମ ପାଣିରୁ ର୍ନିଗତ ବାଷ୍ପରେ ୭ ରୁ ୮ ଘଣ୍ଟା ଏହି ମିଶ୍ରଣ ସିଝିଥାଏ। ଏହା ସଂପୁର୍ଣ୍ଣ ମିଶି ପାଗ ହୋଇଯିବା ପରେ ତାହାକୁ ଓହ୍ଲାଇ ଥଣ୍ତା କରାଯାଏ।

ପରେ ତାହାକୁ ସାଇଜ୍‌ କରି କଟାଯାଇ ଭଲ ଘିଅରେ ଛଣାଯାଏ। ୩ ଟି କୁଡ଼ୁଆରେ ରଖି ଏହାକୁ ମହାପ୍ରଭୁଙ୍କ ରଥ ନିତକଟରେ ଭୋଗ କରାଯାଏ। ବର୍ଷକରେ ଗୋଟିଏ ଥର ଏହି ଭୋଗ ହେଉଥିବାରୁ ଏହାର ବ୍ଯବସାୟୀ କରଣ ଅର୍ଥାତ ପୋଡ଼ପିଠା ବିକ୍ରୀ କରାଯାଏ ନାହିଁ। ବାହୁଡ଼ା ଯାତ୍ରାରେ ଫେରିବା ବେଳେ ତିନି ରଥ ମାଉସୀମା ମନ୍ଦିର ନିକଟରେ ଅଟକିଯାଏ। ପ୍ରତି ରଥ ପାଖରେ କୁଡୁଆରେ ପୋଡ଼ପିଠା ଲାଗି ହୋଇଥାଏ। ଏହା ପରେ ଭୋଗ ହୋଇଥିବା ଏହି ପିଠାକୁ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.