Below header

ଆଗାମୀ ୨୨ ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ): ପୁଣି ଏକ ଲଘୁଚାପ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଆଗାମୀ ୨୨ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଓଡ଼ିଶା ପାଇଁ ଆସୁଛି ବଡ଼ ବର୍ଷା । ବିଶେଷ କରି ଚାରି ଦିନ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ପୂର୍ବାନୁମାନ ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିରେ ଉପକୂଳ ଓଡ଼ିଶା, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଲଘୁଚାପ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଭାବିତ ଜିଲ୍ଲାକୁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ସମ୍ଭାବ୍ୟ ସ୍ଥିତି ନେଇ ଜଳସଂପଦ ବିଭାଗ ମଧ୍ୟ ସଜାଗ ରହିଛି। ବିଭିନ୍ନ ନଦୀର ଜଳସ୍ତର ଉପରେ ରହିଛି ନଜର। ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ବାଲିବସ୍ତା ସହ ସମସ୍ତ ସରଞ୍ଜାମ ମହଜୁଦ ରଖାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଛି ।

୮ଟି ଜିଲ୍ଲାରେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ଗଞ୍ଜାମରେ ଜିଲ୍ଲାପାଳ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପାରଳାଖେମୁଣ୍ଡିରେ ୨୦ଜଣିଆ ଓଡ୍ରାଫ ଦଳ ପହଞ୍ଚିଛନ୍ତି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଓ ଉଦ୍ଧାର କାର୍ଯ୍ୟ ପାଇଁ ଗଛକଟା ଯନ୍ତ୍ର, ରବର ବୋଟ୍‌, ଲାଇଫ ଜାକେଟ ଭଳି ସରଞ୍ଜାମ ସହ ପହଞ୍ଚି ପ୍ରସ୍ତୁତ ରହିଛନ୍ତି।ଘୂର୍ଣ୍ଣିବଳୟ ଓ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର। ଏଣୁ ଏହି ସମୟରେ ସମୁଦ୍ର ମଧ୍ୟକୁ ନଯିବାକୁ ଧୀବରଙ୍କୁ ବାରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.