ବିଧାନସଭାରେ ଅଭାବନୀୟ ପରିସ୍ଥିତି, ଦୁଇ ଦୁଇ ଥର ମୁଲତବି ପରେ ବାଚସ୍ପତିଙ୍କ ବାଟ ଓଗାଳିଲେ ବିରୋଧୀ

ଭୁବନେଶ୍ୱର(କେନ୍ୟୁଜ୍‌):  ବିଧାନସଭାରେ ଅଭାବନୀୟ ପରିସ୍ଥିତି । ବାଚସ୍ପତିଙ୍କ ବାଟ ଓଗାଳିଲେ ବିରୋଧୀ । ପୋଡ଼ିୟମ୍‌କୁ ଆସିବାକୁ ଦେଲେନି । ଖଣି ଦୁର୍ନୀତି ପ୍ରସଙ୍ଗରେ ଆଜି ବିଧାନସଭା ଠପ୍ ହୋଇଛି । ଦୁଇ ଦୁଇ ଥର ବିଧାନସଭା ମୁଲତବୀ ରହିବା ପରେ ଅପରାହ୍ଣରେ ପୁଣି ବାଚସ୍ପତିଙ୍କୁ ତାଙ୍କ ଚାମ୍ବରରେ ଘେରାଉ କଲେ ବିଜେପି ଓ କଂଗ୍ରେସ । ବାଚସ୍ପତିଙ୍କୁ ତାଙ୍କ ଚେୟାର ନିକଟକୁ ଆସିବାକୁ ଦେଲେ ନାହିଁ ।

ଆଜି ଗୃହ ଆରମ୍ଭରୁ ହୋହଲ୍ଲା କରିଥିଲେ କଂଗ୍ରେସ ଓ ବିଜେପି ବିଧାୟକ । ଫଳରେ ଗୃହକୁ ପ୍ରଥମେ ସାଢେ ୧୧ଟା ଓ ପରେ ଅପରାହ୍ଣ ୪ଟା ଯାଏ ମୁଲତବୀ ରହିଥିଲା । ସକାଳେ ବିଧାନସଭା ମୁଲତବୀ ହେବା ପରେ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ଚାମ୍ବର ନିକଟକୁ ଯାଇ ତାଙ୍କୁ ଘେରାଉ କରିଥିଲେ ।

ସେମାନେ ଅଭିଯୋଗ କରିଛନ୍ତି, ଖଣି ଦୁର୍ନୀତି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସହମତି ଦେଇନଥିଲେ ବାଚସ୍ପତି । ରାଜ୍ୟରେ ଏକ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏନେଇ କଂଗ୍ରେସ ପକ୍ଷରୁ ମୁଲତବୀ ଆଲୋଚନା ପାଇଁ ନୋଟିସ ଦିଆଯାଇଥିଲା । ସରକାର ଖଣି ଦୁର୍ନୀତି ଆଲୋଚନା ଡରୁଛନ୍ତି ।

ସେଥିପାଇଁ ଆଲୋଚନାରୁ ଦୂରେଇ ରହୁଛି ସରକାରୀ ଦଳ । ତେବେ ବାଚସ୍ପତି ଏହାକୁ ସାଂପ୍ରତିକ ପ୍ରସଙ୍ଗ ନୁହେଁ ଦର୍ଶାଇ ନୋଟିସ ଅଗ୍ରାହ୍ୟ କରିଥିଲେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି ।

ସେପଟେ ବିରୋଧୀଙ୍କୁ କଡା ସମାଲୋଚନା କରିଛି ବିଜେଡି । ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କର ଆନ୍ତରିକତା ନାହିଁ । ମରୁଡି ପ୍ରସଙ୍ଗ ଉଠାଇଲେ ସରକାର ଆଲୋଚନାକୁ ଆସିଲେ, ଋଣ ଓ ସାର ପ୍ରସଙ୍ଗ କାହିଁକି ଉଠଉ ନାହାନ୍ତି ବିରୋଧୀ ବୋଲି ବିଜେଡି କହିଛି ।

Leave A Reply

Your email address will not be published.