ପୁଅଙ୍କ ତୁଳନାରେ ଝିଅ ବି କିଛି କମ ନୁହେଁ, ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ତୁରୁବୁଡ଼ୀରେ ଜିଲ୍ଲା ସ୍ତରୀୟ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ ଝିଅମାନେ ସବୁ କ୍ଷେତ୍ରରେ ଆଗୁଆ ତେଣୁ ଝିଅକୁ ପରିବାରରେ ଅତି ସ୍ନେହର ସହିତ ବଢାଇବା ପାଇଁ ଅନୁରୋଧ କରିଥିଲେ । ଗଂଜାମ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ପ୍ରତ୍ୟକ ମାସରେ ଅନୁଷ୍ଠିତ ହେଉଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେଉଛି ବୋଲି କହିଥିଲେ । ଏହି ଅବସରରେ ଝିଅ ଜନ୍ମ କରିଥିବା ମା ମାନଙ୍କୁ କେକ କାଟି ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ସେମାନଙ୍କୁ ଗୋଟିଏ ଗଛ ମଧ୍ୟ ପ୍ରଦାନ କରାଯାଇଥିଲା । ମାଆ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଖୁସି ପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏମ.ପି ଚନ୍ଦ୍ରଶେଖର ସାହୁ, ଆସିକା ଏମ.ପି ପ୍ରମିଳା ବିଷୋୟୀ ଯୋଗଦେଇ ଉତ୍ସାହିତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଝିଅ ମାନଙ୍କ ପାଇଁ ବହୁ ଯୋଜନା ଆରମ୍ଭ କରିଛନ୍ତି ଏବଂ ଗଂଜାମ ଜିଲ୍ଲାରେ ପୁଅଙ୍କ ତୁଳନାରେ ଝିଅଙ୍କର ଯେଉଁ ଅଭାବ ରହିଛି ତାକୁ ଦୂର କରିବା ପାଇଁ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କହିଥିଲେ । ଏଥିରେ ସିଡିପିଓଙ୍କ ସମେତ ଜିଲ୍ଲାର ବହୁ ଅଧିକାରୀ ଉପସ୍ଥିତ ଥିଲେ ।