Below header

ପ୍ରଲୋଭନ ଦେଖାଇ ୨ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କ ଠାରୁ କୋଟିଏରୁ ଅଧିକ ଲୁଟିନେଲେ ଠକ

ସ୍ୱୟଂ ସହାୟିକା ମହିଳା ମାନଙ୍କ ଠାରୁ ଠକିନେଲେ କୋଟିଏ ୪୦ ଲକ୍ଷ ।

ବ୍ରହ୍ମପୁର(କେନ୍ୟୁଜ୍): ରାଜ୍ୟରେ ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରିବା ଲାଗି ଅନେକ ସ୍ୱୟଂ ସହାୟିକା ଗୋଷ୍ଠୀ ବା SHG ଗୃପ ଗଢି ଉଠିଛି । ଏଠାରେ ମହିଳା ଓ ଯୁବତୀ ମାନେ ଏକତ୍ରିତ ହୋଇ ବିଭିନ୍ନ ବ୍ୟାଙ୍କ କିମ୍ୱା ସରକାର ଓ କିଛି ଘରୋଇ ଫାଇନାନ୍ସ କମ୍ପାନୀଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଋଣ ନେଇ ବିଭିନ୍ନ ପ୍ରକାର ବ୍ୟବସାୟ ହେଉ ଅବା ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ରୋଜଗାରକ୍ଷମ ହୋଇପାରୁଛନ୍ତି । ତେବେ ଏହାର ସୁଯୋଗ ନେଇ ସ୍ୱସ୍ତିକ ଗ୍ରାମୀଣ ଉଦ୍ୟୋଗ ସଂସ୍ଥା ନାମକ ଏକ କମ୍ପାନୀ ବିଭିନ୍ନ ସ୍ଥାନରେ କମ୍ପାନୀର କାର୍ଯ୍ୟାଳୟ କରି ମହିଳା ଓ ଯୁବତୀଙ୍କୁ ଟାର୍ଗେଟ କରି ଟଙ୍କା ଠକି ନେଇଛି । ବୌଦ୍ଧ, ସୋନପୁର, ଦେବଗଡ଼ ଓ ଅନୁଗୋଳର ପ୍ରାୟ ୨ ହଜାର ରୁ ଅଧିକ ମହିଳା ଠକାମୀର ଶିକାର ହୋଇଛନ୍ତି ।

ପ୍ରଥମେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ମିଶି ସେମାନଙ୍କୁ ସ୍ୱାବଲମ୍ୱୀ କରିବାର ପ୍ରତିଶୃତି ଦେଇଥିଲା । ସେମାନଙ୍କୁ ହଳଦୀ ମେସିନ, ଅଟା ପ୍ରସ୍ତୁତି ମେସିନ , ଧୂପକାଠୀ ପ୍ରସ୍ତୁତି ମେସିନ ଆଦି ଯୋଗାଇ ଦେବ ବୋଲି କହିଥିଲା ସଂପୃକ୍ତ ଠକ କମ୍ପାନୀ । ଆଉ ଏହି ମେସିନ ମାଧ୍ୟମରେ ପ୍ରସ୍ତୁତି ହେବାକୁ ଥିବା ସମସ୍ତ ସାମଗ୍ରୀ କମ୍ପାନୀ କ୍ରୟ କରି ମହିଳା ମାନଙ୍କୁ ଅର୍ଥ ପ୍ରଦାନ କରିବ ବୋଲି କହିଥିଲା । ଆଉ ପ୍ରତ୍ୟେକ ସ୍ୱୟଂ ସହାୟିକା ଗୋଷ୍ଠୀରୁ ମେସିନ ଯୋଗାଇ ଦେବା ଲାଗି ୨ ଲକ୍ଷ ଟଙ୍କା ଲେଖାଏଁ ସଂଗ୍ରହ କରିଥିଲା । ଏଥିପାଇଁ ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ମହିଳା ମାନେ ଋଣ ନେଇ ଟଙ୍କା ପୈଠ କରିଥିଲେ । ତେବେ ଇତି ମଧ୍ୟରେ ସଂପୃକ୍ତ କମ୍ପାନୀ କୌଣସି ମେସିନ ଦେଇନଥିଲା କି କର୍ମଚାରୀ ମାନଙ୍କ ଖୋଜ ଖବର ପାଇନଥିଲେ । ଏନେଇ ଗୃପର ମହିଳାମାନେ ନିଜ ନିଜ ଜିଲ୍ଲାର ଜିଲ୍ଲା ପ୍ରଶାସନ ଓ ପୋଲିସ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା । ତେଣୁ ମହିଳା ମାନେ ଏକତ୍ରିତ ହୋଇ କିଭଳି ତାଙ୍କ ଅର୍ଥ ଫେରିପାଇବେ ଏଥିଲାଗି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଓ ଦକ୍ଷିଣାଞ୍ଛଳ ଆଇଜିଙ୍କୁ ଗୁହାରୀ କରିଛନ୍ତି ।

ସୂଚନା ଥାଉକି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଠକେଇ କରିଥିବା କମ୍ପାନୀକୁ ଅନ୍ୟ ଏକ ଘରୋଇ କମ୍ପାନୀର ଋଣ ନେଇ ଟଙ୍କା ଦେଇଥିଲେ । ବର୍ତ୍ତମାନେ ଋଣ ନେଇଥିବା କମ୍ପାନୀ ଋଣ ଟଙ୍କା ସଂଗ୍ରହ କରିବା ଲାଗି ବାରମ୍ୱାର ମହିଳା ମାନଙ୍କ ନିକଟକୁ ଆସୁଛି । ତେବେ ଟଙ୍କା ସୁଝି ନ ପାରି ମାନସିକ ଚିନ୍ତାରେ ମହିଳାମାନେ ରହିଛନ୍ତି । ଏଭଳି ସ୍ଥିତିରେ କିଭଳି ନିଜ ଟଙ୍କା ଫେରିପାଇବେ ସେଥିଲାଗି ବ୍ରହ୍ମପୁରର ପ୍ରମିଳା ଦେବୀ ମହିଳା କଲ୍ୟାଣ ସଂଘ ସହାୟତାରେ ଆଜି ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆରଡିସିଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହା ସହ ଠକିନେଇଥିବା ଯୁବକ ମାନଙ୍କୁ ତୁରନ୍ତ ଗିରଫ କରିବା ଲାଗି ଦକ୍ଷିଣାଞ୍ଚଳ ଆଇଜି ଙ୍କୁ ମଧ୍ୟ ଅଭିଯୋଗ ଜଣାଇଛନ୍ତି ।

ମହିଳା ମାନଙ୍କ ସ୍ୱାବଲମ୍ୱୀ କରିବାର ପ୍ରତିଶୃତି ଦେଇ କୋଟିଏରୁ ଅଧିକା ଟଙ୍କା ଠକି ନେଇଥିବା କମ୍ପାନୀର ସମସ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉକ୍ତ ଟଙ୍କା ଫେରସ୍ତ କରିବାକୁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.