Below header

ଏଥର କ୍ୟାବିନେଟରେ ପ୍ରାୟ ଅଧା ପଶ୍ଚିମଓଡ଼ିଶାରୁ ମନ୍ତ୍ରୀ, ୬ ଅନୁସୂଚିତ ଜାତି ଓ ଜନଜାତି ନେତାଙ୍କୁ ସାମିଲ

ଏଥର ମନ୍ତ୍ରିମଣ୍ଡଳରେ ପଶ୍ଚିମକୁ ଗୁରୁତ୍ୱ। କ୍ୟାବିନେଟରେ ପ୍ରାୟ ଅଧା ପଶ୍ଚିମ ଓଡ଼ିଶାରୁ ମନ୍ତ୍ରୀ ହୋଇଛନ୍ତି। ସେହିପରି ମନ୍ତ୍ରିମଣ୍ଡଳରେ ୬ ଅନୁସୂଚିତ ଜାତି ଓ ଜନଜାତି ନେତାଙ୍କୁ ସାମିଲ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଟିମରେ ୨୦। ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାରୁ ୬ ଜଣ। ସେଥିରୁ ୫ ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ। ଅର୍ଥାତ ୧୧ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭିତରୁ ସିଧା ୫ ଜଣ ପଶ୍ଚିମ ଓଡ଼ିଶାର। ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ ଓ ନବ ଦାସଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି। ଜଣେ ଦିବ୍ୟଶଙ୍କର ମିଶ୍ର ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ଯାହା ଲାଗୁଛି ମନ୍ତ୍ରିମଣ୍ଡଳରେ ବହୁଛି ପଶ୍ଚିମା ପବନ। ନବୀନ ଖୋଦ୍ ବିଜେପୁରରୁ ବିଧାୟକ ଅଛନ୍ତି।

ଦକ୍ଷିଣ ଓଡ଼ିଶାରୁ ମାତ୍ର ୩ ଜଣ ସ୍ଥାନ ପାଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ମାତ୍ର ଜଣେ, ବିକ୍ରମ କେଶରୀ ଆରୁଖ ମନ୍ତ୍ରୀ ହୋଇଛନ୍ତି। କୋରାପୁଟ ଜିଲ୍ଲାରୁ ପଦ୍ମିନୀ ଦିଆନ ଓ ରାୟଗଡ଼ାରୁ ଜଗନ୍ନାଥ ସାରକା। ଦକ୍ଷିଣରୁ ପୂର୍ବରୁ ମନ୍ତ୍ରୀ ଥିବା ସୂର‌୍ୟ୍ୟ ପାତ୍ରଙ୍କୁ ଏଥର ମିଳିବ ବାଚସ୍ପତି ପଦ।
ଉପକୂଳ ଜିଲ୍ଲାରୁ ୮ ଜଣ ମନ୍ତ୍ରୀ ହୋଇଛନ୍ତି। ସେଥିରୁ ୩ କ୍ୟାବିନେଟ୍ ଓ ୫ ରାଷ୍ଟ୍ରମନ୍ତ୍ରୀ। କ୍ୟାବିନେଟରେ ସ୍ଥାନ ପାଇଛନ୍ତି ରଣେନ୍ଦ୍ର ସ୍ୱାଇଁ, ପ୍ରତାପ ଜେନା, ଅରୁଣ ସାହୁ। ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି ଅଶୋକ ପଣ୍ଡା, ସମୀର ଦାଶ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାଶ, ତୁଷାରକାନ୍ତି ବେହେରା।

ମନ୍ତ୍ରିମଣ୍ଡଳରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଗୁରୁତ୍ୱ ମିଳିଛି। ୬ ଜଣ ମନ୍ତ୍ରୀ ପଦ ପାଇଛନ୍ତି। ହାର ରହିଛି ୨୮. ୫୭ ପ୍ରତିଶତ। ଏଥିରୁ ୪ ଜଣ ଆଦିବାସୀ ସୁଦାମ ମାରାଣ୍ଡି କ୍ୟାବିନେଟ୍ ପାହ୍ୟା ପାଇଥିବା ବେଳେ ଆଉ ତିନି ଜଣ ଆଦିବାସୀ ପ୍ରେମାନନ୍ଦ ନାୟକ, ପଦ୍ମିନୀ ଦିଆନ ଓ ଜଗନ୍ନାଥ ସାରକା ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ଅନୁସୂଚିତ ଜାତିରୁ ଜଣେ ପଦ୍ମନାଭ ବେହେରା କ୍ୟାବିନେଟ୍ ପାହ୍ୟା ପାଇଥିବା ବେଳେ, ତୁଷାରକାନ୍ତୀ ବେହେରା ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି।

ମନ୍ତ୍ରିମଣ୍ଡଳରେ ସବୁଠାରୁ ଅଧିକ ବୟସ୍କ ପ୍ରଫୁଲ ମଲ୍ଲିକ। ତାଙ୍କୁ ୭୨ ବର୍ଷ ବୟସ ହୋଇଛି। ସର୍ବ କନିଷ୍ଠ ମନ୍ତ୍ରୀ ପଦ୍ମିନୀ ଦିଆନ। ତାଙ୍କୁ ୩୨ ବର୍ଷ ବୟସ। ୨୦ ଜଣ ମନ୍ତ୍ରୀଙ୍କ ମଧ୍ୟରେ ୩୦ରୁ ୪୦ ବର୍ଷ ବୟସ ଭିତରେ ୨ ଜଣ, ୪୦ରୁ ୫୦ରେ ୪ ଜଣ ଓ ୫୦ରୁ ୬୦ ଭିତରେ ୯ ଜଣ, ୬୦ରୁ ୭୦ ଭିତରେ ୪ ଜଣ ଓ ୭୦ରୁ ୮୦ ଭିତରେ ଜଣେ ମନ୍ତ୍ରୀ ହୋଇଛନ୍ତି।

ମନ୍ତ୍ରିମଣ୍ଡଳରେ ୧୦ ଜଣ ନୂଆମୁହଁ ସ୍ଥାନ ପାଇଛନ୍ତି। ସେଥିରୁ ତିନି ଜଣ ପଦ୍ମିନୀ ଦିଆନ, ତୁଷାରକାନ୍ତି ବେହେରା ଓ ରଘୁନନ୍ଦନ ଦାସ ପ୍ରଥମ ଥର ବିଧାୟକ ହୋଇ ମନ୍ତ୍ରୀ ପଦ ପାଇଛନ୍ତି। ଛଅ ଜଣ ମନ୍ତ୍ରୀ ପଦ ଫେରି ପାଇଛନ୍ତି। ବିକ୍ରମ କେଶରୀ ଆରୁଖ, ପ୍ରଫୁଲ ମଲ୍ଲିକ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ସୁଶାନ୍ତ ସିଂହ, ଅଶୋକ ପଣ୍ଡା ପୁଣି ମନ୍ତ୍ରୀ ହୋଇଛନ୍ତି। ବାଦ୍ ପଡିଛନ୍ତି ଶଶି ଭୂଷଣ ବେହେରା, ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବଦ୍ରି ପାତ୍ର, ନୃସିଂହ ସାହୁ, ଅନନ୍ତ ଦାସ, ଚନ୍ଦ୍ର ସାରଥୀ ବେହେରା ଓ ସ୍ନେହାଙ୍ଗିନୀ ଛୁରିଆ। ସୂର‌୍ୟ୍ୟ ପାତ୍ରଙ୍କୁ ମନ୍ତ୍ରୀ ପଦ ମିଳି ନଥିଲେ ମଧ୍ୟ, ତାଙ୍କୁ ବାଚସ୍ପତି କରିବାକୁ ନିଷ୍ପତ୍ତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.