ଅନ୍ତଃରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟିରେ ନବୀନ ପଟ୍ଟନାୟକ, ସାମିଲ ଅଛନ୍ତି ୪ ଜଣ କେନ୍ଦ୍ରମନ୍ତ୍ରୀ ଓ ୮ ଜଣ ମୁଖ୍ୟମନ୍ତ୍ରୀ ସଦସ୍ୟ

କେନ୍ୟୁଜ୍(ବ୍ୟୁରୋ): ଜାତୀୟସ୍ତରରେ ନବୀନଙ୍କ ଦବ୍‌ଦବା । କେନ୍ଦ୍ରଗୃହ ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଗୁରୁତ୍ୱପୂର୍ଣ୍ଣ ଅନ୍ତଃରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୪ ଜଣ କେନ୍ଦ୍ରମନ୍ତ୍ରୀ ଓ ୮ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି । ଓଡ଼ିଶା ସମେତ ଉତ୍ତରପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, ଗୁଜରାଟ, ମହାରାଷ୍ଟ୍ର, ପଞ୍ଜାବ ମୁଖ୍ୟମନ୍ତ୍ରୀ କମିଟି ସଦସ୍ୟ ଅଛନ୍ତି । ଅନ୍ୟ ସଦସ୍ୟମାନେ ହେଲେ କେନ୍ଦ୍ର ଅର୍ଥ, କୃଷି, ସାମାଜିକ ନ୍ୟାୟ ଓ ଜଳଶକ୍ତି ମନ୍ତ୍ରୀ । କମିଟିର ଅଧ୍ୟକ୍ଷ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର-ରାଜ୍ୟର ବିଭିନ୍ନ ବିବାଦ ପ୍ରସଙ୍ଗରେ ଏହି କମିଟିରେ ଆଲୋଚନା ହେବ । ଏହି କମିଟିରେ ଉତ୍ତରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ପରି ରାଜ୍ୟସହ ଓଡ଼ିଶା ସ୍ଥାନ ପାଇବା ଜାତୀୟସ୍ତରରେ ନବୀନ ପ୍ରଭାବ ଓ ପତିଆରାକୁ ସ୍ପଷ୍ଟ କରିଛି ।

ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସୃଷ୍ଟି ହେଉଥିବା ବିବାଦ ସମ୍ପର୍କରେ ଷ୍ଟାଣ୍ଡିଂ କମିଟି ବୈଠକରେ ଆଲୋଚନା ହେବ । ପରିଷଦ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କିଭଳି କାର୍ଯ୍ୟକାରୀ କରାଯାଉଛି ତାହା ତଦାରଖ ଦାୟିତ୍ୱ ହେଉଛି ଷ୍ଟାଣ୍ଡିଂ କମିଟିର । ଏହାବ୍ୟତୀତ କେଉଁ କେଉଁ ପ୍ରସଙ୍ଗ ଆନ୍ତଃରାଜ୍ୟ ପରିଷଦ ବୈଠକରେ ଆଲୋଚନା ହେବ ଷ୍ଟାଣ୍ଡିଂ କମିଟିରେ ନିଷ୍ପତ୍ତି ହୋଇଥାଏ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥାଏ ଅନ୍ତଃରାଜ୍ୟ ପରିଷଦ ବୈଠକ ।

ଯେଉଁଥିରେ ଗୃହ, ପ୍ରତିରକ୍ଷା, ଅର୍ଥ, କୃଷି, ସାମାଜିକ ନ୍ୟାୟ ଭଲି ୬ ଜଣ କେନ୍ଦ୍ରମନ୍ତ୍ରୀ ସଦସ୍ୟ ରହିଛନ୍ତି । ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସଦସ୍ୟ ଅଛନ୍ତି । ୧୦ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି ପରିଷଦର ସ୍ଥାୟୀ ସଦସ୍ୟ । ପରିଷଦ ବୈଠକ ପୂର୍ବରୁ ଅନ୍ତଃରାଜ୍ୟ ଷ୍ଟାଣ୍ଡିଂ କମିଟିକୁ ପୁନର୍ଗଠନ କରିଛନ୍ତି କେନ୍ଦ୍ର ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.