ନରସିଂହପୁର-ବଡ଼ମ୍ବାକୁ ମୁଖ୍ୟମନ୍ତ୍ରୀଙ୍କ ୯୩୧ କୋଟିର ବିଭିନ୍ନ ପ୍ରକଳ୍ପ ଭେଟି

ନରସିଂହପୁର / ଜଟଣୀ (କେନ୍ୟୁଜ୍) : ନରସିଂହପୁର -ବଡ଼ମ୍ବାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୯ଶହ ୩୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି । ନରସିଂହପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ଅନନ୍ତ ନାରାୟଣ ହାଇସ୍କୁଲ ପଡ଼ିଆରେ ଆୟୋଜିତ କାର୍ୟ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ୨୨୫କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୬୨ଟି ଗାଁର ୨୫ହଜାର ଏକର ଜମିକୁ ଜଳସେଚିତ କରିବା ପାଇଁ ମେଗା ଉଠା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ନବୀନ । ସେହିପରି ନରସିଂହପୁର-ବଡ଼ମ୍ବା ଅଞ୍ଚଳ ପାଇଁ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପର ଭିତ୍ତି ପଡ଼ିଛି । ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି କହିଛନ୍ତି ନବୀନ। କେନ୍ଦ୍ରର କିଷାନ ଯୋଜନା ନେଇ ପୁଣି ଥରେ ଦାବି ଦୋହରାଇଥିଲେ ମୁଖ୍ୟମନ୍ତ୍ରୀ।
ଭୂମିହୀନ, ଭାଗଚାଷୀ ଓ କୃଷି ଶ୍ରମିକଙ୍କୁ ଏଥିରେ ସାମିଲ କରିବା ସହ ଚାଷୀଙ୍କୁ ୬ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ସହାୟତା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଥିବା କହିଛନ୍ତି। ଏହି ଅବସରରେ ସାଧାରଣ ସଭାରେ ଉଦବୋଧନ ସହ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି । କାର୍ୟ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ ଓ ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।
ଜଟଣୀ ବ୍ଲକ ହରିଡ଼ାମଡ଼ା ଠାରେ ଏସିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲ୍ଥ ଅନୁଷ୍ଠାନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାର ନିର୍ମାଣ ପାଇଁ ରାଜ୍ୟ ସରକାର ୨୦ ଏକର ଜାଗା ଯୋଗାଇ ଦେବେ। ଏହା କାର୍ୟ୍ୟକ୍ଷମ ହେଲେ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବା ସହ ଅନେକ ପ୍ରକାର ଗବେଷଣା ମଧ୍ୟ ହୋଇପାରିବ। କମ୍ୟୁନିଟି ଗବେଷଣା ଆଧାରରେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ୪୫୦ଟି ଗ୍ରାମର ଲୋକ ଅନେକ ସୁବିଧା ପାଇବେ। ଏଥିରେ ଅନୁଷ୍ଠାନର ପ୍ରଫେସର, କର୍ମଚାରୀଙ୍କ ସହ ଅନେକ ଲୋକ ଯୋଗ ଦେଇଥିଲେ।