ଆଜି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଗସ୍ତ

ରାଇରଙ୍ଗପୁରରେ ମହିଳା ସମାବେଶ ଓ ଘଟଗାଁରେ କାଳିଆ ଯୋଜନାରେ ଟଙ୍କା ପ୍ରଦାନ କରିବେ ନବୀନ

ମୟୂରଭଞ୍ଜ/କେନ୍ଦୁଝର(କେନ୍ୟୁଜ୍) : ଆଜି ପୁଣି ଥରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସପ୍ତାହେ ଭିତରେ ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ଗସ୍ତ। ଆଜି ରାଇରଙ୍ଗପୁରରେ ରହିଛି କାର‌୍ୟ୍ୟକ୍ରମ। ମହୁଲଡ଼ିହା ଖେଳ ପଡ଼ିଆରେ ବିଶାଳ ମହିଳା ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତିରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ। ସମାବେଶରେ ଜିଲ୍ଲା ତଥା ଆଖପାଖ ଜିଲ୍ଲାର ହଜାର ହଜାର ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଯୋଗ ଦେବେ।

ପୂର୍ବରୁ ବାରିପଦା ଛଉ ପଡ଼ିଆରେ ମିଶନ ଶକ୍ତି ସମାବେଶରେ ଯୋଗ ଦେଇ ୪ଟି ବଡ଼ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଆଜି ରାଇରଙ୍ଗପୁରରେ ନବୀନ କଣ କହିବେ ତାଉପରେ ନଜର ବି ରହିଛି। ସେହିପରି ରାଜ୍ୟର ସବୁଠୁ ବଡ଼ ଓ ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜକୁ ଫୋସକ କରୁଛି ବିଜେଡି। ଜିଲ୍ଲାରେ ରହିଛି ୯ଟି ବିଧାନସଭା କ୍ଷେତ୍ର। ୨୦୧୪ ନିର୍ବାଚନରେ ସବୁ ଆସନ ପୋଛି ନେଇଥିଲା ବିଜେଡି। ୨୦୧୯ରେ ପୂର୍ବ ସଫଳତା ଦୋହରାଇବା ଦିଗରେ ରଣନୀତି କରୁଛି ବିଜେଡି।

ରାଇରଙ୍ଗପୁର ସହ କେନ୍ଦୁଝରରେ ମଧ୍ୟ ରହିଛି ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟକ୍ରମ। ଘଟଗାଁ ବ୍ଲକ ପଣ୍ଡାପଡ଼ାରେ କାଳିଆ ସାହାଯ୍ୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା କାର‌୍ୟ୍ୟକ୍ରମ ବି ରହିଛି। ଏଥିରେ କେନ୍ଦୁଝର ଓ ଆଖପାଖ ଜିଲ୍ଲାର ହଜାର ହଜାର ଚାଷୀ ସାମିଲ ହେବେ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି।

Leave A Reply

Your email address will not be published.