ମନକି ବାତ୍‌ରେ ଓଡ଼ିଶାକୁ ପ୍ରଶଂସା କରିଥିବାରୁ ମୋଦିଙ୍କୁ ଧନ୍ୟବାଦ ଦେଲେ ନବୀନ

ଭୁବନେଶ୍ବର : ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହେବ ବିଶ୍ୱକପ ହକି । ଆକାଶବାଣୀରେ ଗତକାଲି ମନ୍‌ କି ବାତରେ ବିଶ୍ୱକପ ହକି କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ଟିମ୍‌ ସହ ଅନ୍ୟ ଦଳକୁ ଉତ୍ସାହିତ କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ଵାନ ଦେଇଥିଲେ । ଓଡ଼ିଶାର ସଂସ୍କୃତି ଓ ପରଂପରା ମହାନ । ଓଡ଼ିଶାରେ ହକି ବିଶ୍ୱକପ୍‌ ଦେଖିବା ସହ ପର୍ଯ୍ୟଟକମାନେ ଶ୍ରୀମନ୍ଦିର, ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଓ ଚିଲିକା ସମେତ ବହୁ ଦର୍ଶନୀୟ ସ୍ଥାନ ବୁଲି ପାରିବେ ବୋଲି ମନ୍‌ କି ବାତ୍‌ରେ କହିଥିଲେ ପ୍ରଧାନମନ୍ତ୍ରୀ ।

ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ମନ୍‌ କି ବାତରେ କହିଥିବାରୁ ଟ୍ଵିଟ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଏଥିସହ ସାରା ବିଶ୍ୱକୁ ସ୍ୱାଗତ କରିବା ପାଇଁ ଓଡ଼ିଶା ଅପେକ୍ଷା କରିଛି ବୋଲି କହିଛନ୍ତି ।

ସେପଟେ କଂଗ୍ରେସ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛି । ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି ଉପରେ ବିଜେଡି-ବିଜେପି ବିରୋଧ, ଭିତରେ କୋଳାକୋଳି ଚାଲିଛି । ବିଜେଡି କହିଛି ଏହାକୁ ରାଜନୈତିକ ଦୃଷ୍ଟିରେ ଦେଖାନଯାଉ । ସେହିପରି ବିଜେପି କହିଛି ଭଲ କଥାକୁ ଭଲ କହିବାରେ କିଛି ଅସୁବିଧା ନାହିଁ । ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସ୍ୱାଗତଯୋଗ୍ୟ ।

ପୂର୍ବରୁ ବିଭିନ୍ନ ପ୍ରସଂଗରେ ବିଜେପି-ବିଜେଡି ମଧ୍ୟରେ ତିକ୍ତତା ରହିଛି । ତେବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା ବିଜେଡି । ଆଉ ଏବେ ବିଶ୍ୱ କପ୍‌ ହକି ଦେଖିବା ପାଇଁ ଆମନ୍ତ୍ରଣ ଓ ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.