ରାଜ୍ୟରେ ଦିନକୁ ୧୫ ଜଣ ନେଉଛନ୍ତି ନିଜ ଜୀବନ: ଏନ୍‌ସିଆର୍‌ବି ରିପୋର୍ଟ

ନୂଆଦିଲ୍ଲୀ : ରାଜ୍ୟରେ ଦିନକୁ ୧୫ ଜଣ ନେଉଛନ୍ତି ନିଜ ଜୀବନ। ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋର ୨୦୨୧ ରିପୋର୍ଟ ।  କେବଳ ଗତବର୍ଷ ରାଜ୍ୟରେ ୫୬୫୧ ଜଣ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୪୪୧୨ ଥିବା ବେଳେ ୧୨୩୯ ମହିଳା ଆତ୍ମହତ୍ୟା କରିଥିଲେ।

ଏହାପଛରେ ପାରିବାରିକ ସମସ୍ୟା ପ୍ରମୁଖ କାରଣ ରହିଛି। ଏହି ସମସ୍ୟା ଯୋଗୁଁ ସର୍ବାଧିକ ୪୦୩୩ ଜଣ ଆତ୍ମହତ୍ୟା କରିଛନ୍ତି। ରିପୋର୍ଟ ଅନୁସାରେ ୧୩୪ ବିବାହ ଜନିତ ଓ ୧୩୨ ଜଣ ପ୍ରେମ ବ୍ୟାପରକୁ ନେଇ ଆତ୍ମହତ୍ୟା କରିଥିଲେ। ତେବେ ଚିନ୍ତାଜନକ ବିଷୟ ହେଲା ଯେ ଆତ୍ମହତ୍ୟାକାରୀଙ୍କ ମଧ୍ୟରେ ଅଛନ୍ତି ୮୩୪ ଛାତ୍ରଛାତ୍ରୀ। ଏଥିରେ ଛାତ୍ରଙ୍କ ସଂଖ୍ୟା ୬୯୭ ଓ ଛାତ୍ରୀଙ୍କ ସଂଖ୍ୟା ଥିଲା ୧୩୭।

ଅପରପକ୍ଷେ ଏହି ରିପୋର୍ଟ ଅନୁସାରେ ଗତବର୍ଷ ୩୭୭ ଜଣ ଗୃହିଣୀ, ୬୧୮ ଜଣ ବେକାର, ୩୦୨ ଜଣ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି। ୨୭୫୩ ଜଣ ଫାଶି ଲଗାଇ ଆତ୍ମହତ୍ୟା କରିଥିବା‌ ବେଳେ ୨୩୨୨ ଜଣ ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ହେଲେ ଗତ ବର୍ଷ କୌଣସି ଚାଷୀ ଆତ୍ମହତ୍ୟା କରିନାହାନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

ତେବେ କରୋନା ଲକ୍ ଡାଉନ୍ ପରେ ମାନସିକ ଅବସାଦଗ୍ରସ୍ତ ହୋଇ ଲୋକମାନେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରୁଥିବା କୁହାଯାଉଛି। ୨୦୨୦ ତୁଳନାରେ ଓଡ଼ିଶାରେ ଆତ୍ମହତ୍ୟା ହାର ୧.୯ ପ୍ରତିଶତ ବୃଦ୍ଧି ପାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.