Below header

ନବରଙ୍ଗପୁରରେ ଅଭାବନୀୟ ଘଟଣା, ଭଣଜାର ଠେଙ୍ଗା ମାଡ଼ରେ ମାମୁଁର ମୃତ୍ୟୁ

ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ରେଭିନ୍ୟୁ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ଭଣଜାର ଠେଙ୍ଗା ମାଡ଼ରେ ମାମୁଁର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ଡାବୁଗାଁ ସଦର ରେଭିନ୍ୟୁ ସାହିର ଗୌରଚନ୍ଦ୍ର ଗୌଡ (୪୮)। ଏ ନେଇ ଡାବୁଗାଁ ଥାନାରେ ମୃତ ଗୌର ଚନ୍ଦ୍ର ଗୌଡର ଝିଅ ଗୁଞ୍ଜି ଗୌଡ ଏତଲା ଦେବା ପରେ ପୁଲିସ ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, ଡାବୁଗାଁ ସଦର ରେଭିନ୍ୟୁ ସାହିରେ ରହୁଥିବା ଗୌରଚନ୍ଦ୍ର ଗୌଡ ଓ ସ୍ତ୍ରୀ ବୁଡୁ ଗୌଡ ମଧ୍ୟରେ କୌଣସି କାରଣକୁ ନେଇ ପାରିବାରିକ ଅଶାନ୍ତି ଗତ କେତେ ଦିନ ହେଲା ଲାଗି ରହିଥିଲା। ଗୌରଚନ୍ଦ୍ର ଡାବୁଗାଁ ନିକଟ ଚେର ଚେଟିଆ ଗୁଡ଼ାରେ ରାନ୍ଧୁଣିଆ ଭାବେ କାର୍ଯ୍ୟ କରୁଥିଲା। ଗତକାଲି ସେ ଚେର ଚେଟିଆ ଗୁଡ଼ାରେ ଥିବା ସମୟରେ ତାଙ୍କ ଭଣଜା ଲକି ଗୌଡ ଓ ସ୍ତ୍ରୀ ବୁଡୁ ଗୌଡ ତାଙ୍କ ପାଖକୁ ଯାଇଥିଲେ।

ସେଠାରେ କୌଣସି କାରଣକୁ ନେଇ ଭଣଜା ଲକି ଗୌଡ ଗୌରଚନ୍ଦ୍ରକୁ ବାଡେଇଥିଲା। ଏଥିରେ ଗୌରଙ୍କର ସ୍ୱାସ୍ଥ୍ୟ ଖରାପ୍ ହେବାରୁ ତାଙ୍କୁ ଭଣଜା ଡାବୁଗାଁ ଆଣିଥିଲା। ପୁନର୍ବାର ଅପରାହ୍ନ ସମୟରେ ଗୌରଚନ୍ଦ୍ର ସହ ଭଣଜା ଲକିର କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଲକି ଗୌଡ ତା ମାମୁଁକୁ ଏକ ଠେଙ୍ଗାରେ ବାଡେଇ ଥିଲା। ଗୌରଚନ୍ଦ୍ର ଠେଙ୍ଗା ମାଡ଼ରେ ଆହତ ହୋଇ ସ୍ତ୍ରୀ ସହ ଡାବୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ।

ଗୁରୁତର ଗୌରଚନ୍ଦ୍ରକୁ ପ୍ରାଥମିକ ଚିକିତ୍ସା ପରେ ଡ଼ାକ୍ତର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ କହିଥିଲେ ସୁଦ୍ଧା ଗୌର ନବରଙ୍ଗପୁର ନ ଯାଇ ନିଜ ଘର ରେଭିନ୍ୟୁ ସାହିକୁ ଚାଲି ଆସିଥିଲେ । ସେଠାରେ ପ୍ରାୟ ୫ଟା ବେଳେ ତାଙ୍କର ଘରେ ଶୋଇଥିବା ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏ ନେଇ ଗୌରଙ୍କର ଝିଅ ଗୁଞ୍ଜି ଡାବୁଗାଁ ଥାନା ରେ ଏତଲା ଦେଇଥିଲେ। ତେବେ ଘଟଣା ପରେ ଗୌରଙ୍କର ଭଣଜା ଲକି ଗୌଡ ଭୟରେ ଫେରାର ହୋଇଯାଇଥିବା ଜଣାପଡିଛି। ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.