ନିରଞ୍ଜନ ସେଠୀଙ୍କ ନୂଆ ଠିକଣା ସେଲ୍ ନଂ ୧୧, ଅଧିକ ତଥ୍ୟ ପାଇଁ ରିମାଣ୍ଡରେ ନେବ ପୋଲିସ୍

ଭୁବନେଶ୍ବର(କେନ୍ୟୁଜ୍): କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଗିରଫ ହେଲେ ବଡ଼ ମୁଣ୍ଡ। ଜେଲ୍‌ ଗଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ। ୧୧ ନମ୍ବର ସେଲ୍‌ ପାଲଟିଲା ନୂଆ ଠିକଣା । ଜେଲ୍‌ ଯିବା ପରେ ଘରୁ ଆସିଥିବା ଖାଦ୍ୟକୁ ଦେବାକୁ ମନା କରିଦେଇଥିଲେ ଜେଲ୍‌ କର୍ତ୍ତୁପକ୍ଷ। ଏହାପରେ ନିରଞ୍ଜନ ରାତିରେ ଚୂଡା ଓ ଚିନି ଖାଇଥିବା ଜଣାପଡିଛି।

ହତ୍ୟାକାଣ୍ଡରେ ସେ ଥିଲେ ମୁଖ୍ୟ ଷଡଯନ୍ତ୍ରକାରୀ। ପୋଲିସ ଦେଇଥିବା ସୂଚନା ଅନୁସାରେ, ମାନସଙ୍କୁ ଅପହରଣ କରି ମାଡ଼ ମାରିବା, ହତ୍ୟା ଯୋଜନା ଓ ମୃତଦେହ ପୋତିବାରେ ନିରଞ୍ଜନଙ୍କ ସଂପୃକ୍ତି ରହିଛି। ତାଙ୍କ ଉପସ୍ଥିତି ଏବଂ ନିର୍ଦ୍ଦେଶରେ ମାନସଙ୍କୁ ହତ୍ୟା କରାଯାଇଥିଲା। ନିରଞ୍ଜନଙ୍କ ବ୍ୟତୀତ ଖଣ୍ଡଗିରିସ୍ଥିତ ରାଜ କମ୍ୟୁନିକେସନ୍‌ ନାମକ ମୋବାଇଲ ଦୋକାନୀ ରଞ୍ଜନ ମଧ୍ୟ ଗିରଫ ହୋଇଛି। ନିରଞ୍ଜନ ଓ ରଞ୍ଜନଙ୍କ ଜାମିନ ଆବେଦନକୁ ଚାନ୍ଦବାଲି JMFC କୋର୍ଟ ନାମଞ୍ଜୁର କରି ଉଭୟଙ୍କୁ ୧୪ ଦିନ ପାଇଁ ଭଦ୍ରକ ଜେଲ୍‌କୁ ପଠାଇ ଦେଇଛନ୍ତି।

ଅଧିକ ତଥ୍ୟ ପାଇଁ ନିରଞ୍ଜନଙ୍କୁ ରିମାଣ୍ଡରେ ଅଣାଯିବ। ଏକ ମେମୋରି ଚିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି। ତେବେ ଏବେବି ମିଳିନି ମେମୋରି ଚିପ୍‌। ସେପଟେ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା ଭଦ୍ରକ ପୋଲିସ । ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶର୍ମିଷ୍ଠା ରାଉତ ଓ ଅନ୍ୟ ଜଣେ ମହିଳା ସହଯୋଗୀ ଝୁନା ଏବେବି ଫେରାର୍‌ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ରାଜ୍ୟ ଓ ବାହାରେ ତନାଘନା ଚଳାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.