ଏଣିକି ଆଉ ରାଜଧାନୀର ରାସ୍ତା କଡ଼ରେ କଟା ହେବ ନାହିଁ ମାଂସ, ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର(କେନ୍ୟୁଜ୍): ଆଉ ରାଜଧାନୀର ରାସ୍ତା କଡ଼ରେ କଟା ହେବ ନାହିଁ ମାଂସ। ବିଏମ୍ସି ପକ୍ଷରୁ ହୋଇଛି ଏହି ଘୋଷଣା। ତେବେ ଗତକାଲି ଏହି ଘୋଷଣା ପରେ ‘ଭୁବନେଶ୍ୱର ନନ୍ଭେଜ୍ ଟ୍ରେଡର୍ସ ଫେଡେରେସନ୍’ ବିଏମ୍ସି ଅଫିସ ଘେରିଥିଲା। ତେବେ ମେୟର ସୁଲୋଚନା ଦାସଙ୍କ ସହ ଆଲୋଚନା କରିବା ପରେ ଫେଡେରେସନ ବିଏମ୍ସିର ଏହି ନିଷ୍ପତ୍ତିକୁ ମାନିଥିବା ଜଣାପଡ଼ିଛି। ଏପଟେ କେହି ଯଦି ଏହି କଟକଣାକୁ ଅମାନ୍ୟ କରେ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।
ସୂଚନା ମୁତାବକ ଗତକାଲି ବିଏମ୍ସି କନ୍ଫରେନ୍ସ ହଲ୍ରେ ଫେଡେରେସନ୍ ସହ ହୋଇଥିବା ବୈଠକରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଭିତ୍ତିଭୂମି ପ୍ରସ୍ତୁତ ନ କରି ହଠାତ୍ ଏଭଳି ନିଷ୍ପତ୍ତିକୁ ମାଂସ ବ୍ୟବସାୟୀମାନେ ବିରୋଧ କରିଥିଲେ। ବାରମ୍ବାର ରାସ୍ତାକଡ଼ରୁ ବ୍ୟବସାୟୀଙ୍କୁ ଉଚ୍ଛେଦ କରିବା ଦ୍ୱାରା ସେମାନେ ବିପୁଳ ଆର୍ଥିକ କ୍ଷତି ସହୁଛନ୍ତି ବୋଲି ଅଭିଯୋଗ କରିଥିଲେ।
ଘାଟିକିଆ ଭଳି ପ୍ରତ୍ୟେକ ୱାର୍ଡରେ ଗୋଟିଏ ଗୋଟିଏ ଅତ୍ୟାଧୁନିକ ମାଂସ ମାର୍କେଟ୍ ଖୋଲିବା ପାଇଁ ସେମାନେ ଦାବି କରିଥିଲେ। ଦୁଇ ବର୍ଷ ମଧ୍ୟରେ ଏଭଳି ମାର୍କେଟ୍ ନିର୍ମାଣ କରିବାକୁ ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ଦୁଇ ମାସ ଅନ୍ତରରେ ମାଂସ ବ୍ୟବସାୟୀଙ୍କ ସହ ଆଲୋଚନା ହେବ ବୋଲି କୁହାଯାଇଥିଲା। କିନ୍ତୁ ତା’ ପୂର୍ବରୁ ଆଉ ଏଣିକି ରାସ୍ତା କଡ଼ରେ ମାଂସ କଟା ହୋଇପାରିବନାହିଁ ବୋଲି ସେମାନଙ୍କୁ କୁହାଯାଇଛି।
ରାଜଧାନୀରେ ପ୍ରାୟ ସାଢ଼େ ୩ ଶହ ମାଂସ ବ୍ୟବସାୟୀ ଥିବା ସଂଘ କହିଛି। ୱାର୍ଡ ଅନୁଯାୟୀ ଏମାନଙ୍କର ତାଲିକା ପ୍ରସ୍ତୁତ କରି ସଂଘ ବିଏମ୍ସିରେ ଦାଖଲ କରିବ। କେହି ନୂଆ କରି ମାଂସ ଦୋକାନ ଖୋଲିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ବିଏମ୍ସିକୁ ଅନୁରୋଧ କରିଛି। ଏହି ବୈଠକରେ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ, ମାର୍କେଟ୍ ଦାୟିତ୍ବରେ ଥିବା ଡେପୁଟି କମିସନର ରମେଶ ଚନ୍ଦ୍ର ଜେନାଙ୍କ ସମେତ ୩୫ରୁ ଊର୍ଦ୍ଧ୍ବ ସଦସ୍ୟ ଭାଗ ନେଇଥିଲେ।