୧୫ ବର୍ଷ ପୁରିବାକୁ ବସିଲାଣି ନନ୍ ଗଣଦୁଷ୍କର୍ମ ମାମଲା, ଓକିଲାତି କରିବାକୁ କେହିନାହିଁ

ଆଜି କଟକ ଜିଲ୍ଲା କୋର୍ଟରେ ତାରିଖ ଥିଲେ ମଧ୍ୟ ନନଙ୍କ ପକ୍ଷରୁ କିଏ ଓକିଲାତି କରିବେ ତାହା ସ୍ପଷ୍ଟ ହୋଇ ନ ଥିଲା। ତେଣୁ ଅଦାଲତ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ନନଙ୍କ ପାଇଁ ସ୍ୱତନ୍ତ୍ର ଓକିଲ ନିଯୁକ୍ତ ହେବେ ନା ରାଜ୍ୟ ସରକାରଙ୍କ ପବ୍ଲିକ ପ୍ରସ୍ୟୁକୂଟର କରିବେ ତାହା ସ୍ପଷ୍ଟ ହେବା ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ସ୍ଥିର ହୋଇଛି।

କଟକ(କେନ୍ୟୁଜ୍):  କନ୍ଧମାଳ ନନ୍ ଗଣଦୁଷ୍କର୍ମ ମାମଲାରେ କଟକ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ମାମଲାର ଶୁଣାଣି ୧୫ ବର୍ଷ ପୁରିବାକୁ ବସିଲାଣି, କିନ୍ତୁ ମାମଲାର ଶୁଣାଣିରେ ଅନ୍ତ ଘଟି ନାହିଁ। ଆଜି କଟକ ଜିଲ୍ଲା କୋର୍ଟରେ ତାରିଖ ଥିଲେ ମଧ୍ୟ ନନଙ୍କ ପକ୍ଷରୁ କିଏ ଓକିଲାତି କରିବେ ତାହା ସ୍ପଷ୍ଟ ହୋଇ ନ ଥିଲା। ତେଣୁ ଅଦାଲତ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ନନଙ୍କ ପାଇଁ ସ୍ୱତନ୍ତ୍ର ଓକିଲ ନିଯୁକ୍ତ ହେବେ ନା ରାଜ୍ୟ ସରକାରଙ୍କ ପବ୍ଲିକ ପ୍ରସ୍ୟୁକୂଟର କରିବେ ତାହା ସ୍ପଷ୍ଟ ହେବା ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ସ୍ଥିର ହୋଇଛି। ପୂର୍ବରୁ ନନଙ୍କ ପାଇଁ ଲଢ଼ୁଥିବା ଆଇନଜୀବୀ କୋର୍ଟଙ୍କୁ ଜଣାଇଥିଲେ ଯେ, ମାମଲା ପରିଚାଳନା ପାଇଁ ତାଙ୍କୁ ଆଉ କୌଣସି ନିର୍ଦ୍ଦେଶନାମା ନାହିଁ। ଏହି ମାମଲାରେ ଦୀର୍ଘ ୧୫ ବର୍ଷ ହେଵ ଅଭିଯୁକ୍ତ ମାନେ କଟକ ଜିଲ୍ଲା ଦୌରାଜଜ୍ କୋର୍ଟକୁ ଧାଉଁଛନ୍ତି, ଏବଂ ନିଜେ ପୀଡିତା ନନ୍ ମଧ୍ୟ ଏକାଧିକବାର କୋର୍ଟରେ ହାଜର ହୋଇସାରିଲେଣି। ହେଲେ ମାମଲା ଲମ୍ବିଚାଲିଛି କିନ୍ତୁ ସରିବାର ନାଁ ଧରୁନାହିଁ ।

ଆଜି ଉଭୟ ପକ୍ଷ କୋର୍ଟରେ ହାଜର ହୋଇଥିଲେ, କିନ୍ତୁ କୋର୍ଟରେ ପୀଡିତାଙ୍କ ପକ୍ଷ କିଏ ରଖିବ, ତାର ନିଷ୍ପତ୍ତି ନହେବା କାରଣରୁ ,ମାମଲା ପୁଣି ଏକ ତାରିଖକୁ ରହିଛି। ୨୦୦୮ ମସିହା ଅଗଷ୍ଟ ମାସ ୨୩ ତାରିଖରେ କନ୍ଧମାଳରୁ ଆସିଥିଲା ଏକ ସଙ୍ଗୀନ ଅଭିଯୋଗ । କନ୍ଧମାଳରେ ଜଣେ ନନ୍ ଗଣ ଦୁଷ୍କର୍ମର ଶୀକାର ହୋଇଥିବା ନେଇ ୩୦ ଜଣଙ୍କ ନାଁରେ ଦାୟର ହୋଇଥିଲା ଏତଲା । ଘଟଣାକୁ ନେଇ ସାରା ଦେଶରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ସେତେବେଳେ ମାମଲାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ।

ପ୍ରଥମେ ୯ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ଏବଂ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା କଟକ ଜିଲ୍ଲା ଦୌରା ଜଜଙ୍କ ଅଦାଲତରେ । ପ୍ରାୟ ୯ ବର୍ଷର ଶୁଣାଣି ପରେ , ଗିରଫ ୯ ଜଣଙ୍କ ଭିତରୁ ,୩ ଜଣଙ୍କୁ କୋର୍ଟ ଦଣ୍ତିତ କରିଥିଲେ, ଅନ୍ୟମାନେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ତେବେ ଫେରାର ରହିଥିବା ଅନ୍ୟ ୨୧ ଜଣ ଅଭିଯୁକ୍ତ ,ପରବର୍ତ୍ତୀ କାଳରେ ଜାମିନ ପାଇସାରିଛନ୍ତି । କିନ୍ତୁ ଜାମିନ୍ ପାଇବା ପରଠାରୁ ସେମାନେ ମଧ୍ୟ କ୍ରମାଗତ ଭାବେ କଟକ ଧାଉଁଛନ୍ତି । ଏଣେ ଆଇନ ଅଦାଲତରେ ତାରିଖ ପରେ ତାରିଖ ଗଡିଚାଲିଛି , ହେଲେ ଶୁଣାଣି ଶେଷ ହେଉନାହିଁ । ଅନେକ ବର୍ଷର ବ୍ୟବଧାନ ପରେ ଆଜି ପୀଡିତା ନନ୍ କୋର୍ଟରେ ହାଜର ହୋଇଥିଲେ ।

ବ୍ୟବସ୍ଥା ମୂତାବକ ଆଜି ତାଙ୍କର ସାକ୍ଷ ଗ୍ରହଣ ହୋଇଥାନ୍ତା । କିନ୍ତୁ ଏହି ସମ୍ବେଦନଶୀଳ ମାମଲାରେ କିଏ ସରକାରଙ୍କ ପକ୍ଷ ରଖିବେ , ତାହା ସ୍ଥିର ହୋଇପାରିଲା ନାହିଁ। ଯେଉଁ କାରଣରୁ ପୁଣି ଆଉ ଗୋଟିଏ ତାରିଖକୁ ମାମଲା ଘୁଞ୍ଚିଛି । ତେଣେ କନ୍ଧମାଳରୁ କଟକ ଯାଏଁ ଧାଉଁଥିବା ଅଭିଯୁକ୍ତ ମାନେ ନିଜ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । କାରଣ ଥରେ ସେମାନେ କଟକ ଆସିଲେ ମୁଣ୍ତ ପିଛା ସର୍ବନିମ୍ନ ୨ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଏବଂ ଦୁଇ ଦିନ କମେଇ ହେବାକୁ ମଧ୍ୟ ପଡୁଛି ।

ଯଦିଓ ସମସ୍ତ ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଥିଲା , କିନ୍ତୁ ସୁରକ୍ଷା ଏବଂ ଗୋପନୀୟତାକୁ ଆଧାର କରି ,ମାମଲାର ଶୁଣାଣି ଅନ୍ୟତ୍ର କରିବାକୁ ହାଇକୋର୍ଟରେ ସେତେବେଳେ ଆବେଦନ କରିଥିଲେ ପୀଡିତା । ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୂତାବକ ଏହି ଚର୍ଚ୍ଚିତ ମାମଲାର ସମସ୍ତ ଶୁଣାଣି କଟକ ଜିଲ୍ଲା ଦୌରାଜଜଙ୍କ ଅଦାଲତକୁ ସ୍ଥାନାନ୍ତର ହୋଇଥିଲା ।