ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡ୍ରେ ବନ୍ଦେ ଭାରତମ୍, ନୃତ୍ୟରେ ନାରୀଶକ୍ତିକୁ ଦର୍ଶାଇଛନ୍ତି ଓଡ଼ିଆ ନୃତ୍ୟଗୁରୁ ନିବେଦିତା ମହାପାତ୍ର
![NIBEDITA-3](https://knewsodisha.com/wp-content/uploads/2023/01/NIBEDITA-3.jpg)
ଭୁବନେଶ୍ୱର (କେନ୍ୟୁଜ୍) : ଏଥର ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ବେଶ୍ କିଛି ଭିନ୍ନ ଧରଣର କାର୍ଯ୍ୟକ୍ରମ ଦେଖିବାକୁ ମିଳିବ । ତା ସହିତ ଦ୍ୱିତୀୟ ବର୍ଷ ପାଇଁ ଆୟୋଜିତ ହେଉଛି ‘ବନ୍ଦେ ଭାରତମ୍’ କାର୍ଯ୍ୟକ୍ରମ । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ତରଫରୁ କରାଯାଉଥିବା ଏହି ନୃତ୍ୟ କାର୍ଯ୍ୟକ୍ରମରେ ୧୭ରୁ ୩୦ ବର୍ଷ ମଧ୍ୟରେ ୪୭୯ ଜଣ ନୃତ୍ୟଶିଳ୍ପୀଙ୍କୁ ସାମିଲ କରାଯାଇଛି । ଏଥର ‘ବନ୍ଦେ ଭାରତମ୍’ କାର୍ଯ୍ୟକ୍ରମର ଥିମ୍ ରହିଛି ‘ନାରୀ ଶକ୍ତି’ । ତେବେ ଏହି କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଆକର୍ଷଣୀୟ ଓ ସୁନ୍ଦର କରିବା ପାଇଁ ଦେଶର ନାମୀ ତଥା ଦକ୍ଷ ନୃତ୍ୟଗୁରୁଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ସେମାନେ ‘ନାରୀଶକ୍ତି’ର ନୃତ୍ୟ ନିର୍ଦ୍ଦେଶନା ବା କୋରିଓଗ୍ରାଫି କରିଛନ୍ତି । ଆଉ ଗୌରବର କଥା ହେଉଛି ଏହି ନୃତ୍ୟଗୁରୁ ଟିମ୍ରେ ଅଛନ୍ତି ଜଣେ ନାମୀ ଓଡ଼ିଆ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ । ସେ ହେଉଛନ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ ନିବେଦିତା ମହାପାତ୍ର ।
ଓଡ଼ିଶୀ ନୃତ୍ୟରେ ଜୁନିୟର ଓ ସିନିୟର ଫେଲୋସିପ ପାଇଥିବା ନିବେଦିତା ୩୦ରୁ ଅଧିକ ଦେଶରେ ନିଜ ନୃତ୍ୟକଳା ପ୍ରଦର୍ଶନ କରିଛନ୍ତି । ଏହା ସହିତ ଅନେକ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ କୋରିଓଗ୍ରାଫି ମଧ୍ୟ କରିଛନ୍ତି । ଜୟାପ୍ରଭା ମେନନ୍, କବିତା ଦ୍ୱିବେଦୀ ଏବଂ ଭାବିନୀ ମିଶ୍ରାଙ୍କ ଭଳି ପ୍ରସିଦ୍ଧ ନୃତ୍ୟଗୁରୁଙ୍କ ସହ ଏହି କୋରିଓଗ୍ରାଫି ଟିମ୍ରେ ନିବେଦିତା ଅଛନ୍ତି ।
ଦୁଇ ଜଣ ଯୁବ ମହିଳା ସଂଗୀତକାରଙ୍କ ଦ୍ୱାରା କମ୍ପୋଜ ହୋଇଥିବା ଗୀତରେ ମୋଟ ୪୭୯ ଜଣ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରୁଛନ୍ତି । ଏଥିରେ ୩୨୬ ଜଣ ମହିଳା ଏବଂ ୧୩୫ ଜଣ ପୁରୁଷ କଳାକାର ଅଛନ୍ତି । ଯେଉଁମାନଙ୍କୁ ପ୍ରଥମେ ରାଜ୍ୟ ଓ ପରେ ଜୋନ୍ସ୍ତରରୁ ବଛା ଯାଇ ଜାତୀୟ ସ୍ତରକୁ ଅଣାଯାଇଛି । ଏମାନଙ୍କୁ ତାଲିମ ଦିଆଯିବା ପରେ ଏବେ ରିହରସାଲ ଚାଲିଛି ।