ଓସ୍କାର ଦୌଡ଼ରେ ଜଙ୍ଗଲ କ୍ରାଏ, ଡ. ଅଚ୍ୟୁତ ସାମନ୍ତ ଏବଂ କିସ୍‌ ରଗବୀ ଦଳର ସଫଳତାକୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର

ଭୁବନେଶ୍ୱର (କେନ୍ୟୁଜ୍‌) : ୨୦୦୭ରେ କିସ୍ ୧୪ ବର୍ଷରୁ କମ୍ ରଗ୍ବୀ ଦଳ ବିଶ୍ବକପ୍ ହାସଲ କରିଥିଲା । ପରେ ଏହି ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’ ନିର୍ମାଣ କରାଯାଇଥିଲା । ଏହି ଚଳଚ୍ଚିତ୍ର ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି। ଆସନ୍ତାକାଲି ନାମାଙ୍କନ ଘୋଷଣା ପରେ ଏହା ସ୍ପଷ୍ଟ ହେବ । ମାର୍ଚ୍ଚ ୧୨ ତାରିଖରେ ହଲିଉଡ୍‌ ଡଲ୍‌ବି ଥିଏଟରରେ ପ୍ରଦର୍ଶିତ ହେବାକୁ ଥିବା ୯୫ତମ ଆକାଡେମୀ ଆୱାର୍ଡ ପାଇଁ ଜଙ୍ଗଲ କ୍ରାଏ ପକ୍ଷରୁ ସମସ୍ତ ବିଭାଗରେ ଆନୁଷ୍ଠାନିକ ଭାବେ ପ୍ରଚାର ଅଭିଯାନ ଆରମ୍ଭ କରିଛି ।

କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଜୀବନୀକୁ ନେଇ ସିନେମାର କାହାଣୀ ଗଢ଼ି ଉଠିଛି । ଡ. ସାମନ୍ତ ବିନାଦେୟରେ ସମସ୍ତ ସୁବିଧା ଯୋଗାଇ କିଭଳି ଅବହେଳିତ ଜନଜାତି ଛାତ୍ରଛାତ୍ରୀଙ୍କୁ ରଗ୍ବୀରେ ବିଶ୍ୱ ଚାମ୍ପିଅନ୍ କରାଇ ପାରିଛନ୍ତି ତାହା ଉପରେ ଚଳଚ୍ଚିତ୍ରଟି ପର୍ଯ୍ୟବସିତ। ସଂଯୋଗବଶତଃ କିସ୍ ଛାତ୍ର ତଥା ସେତେବେଳର କିସ୍ ରଗ୍ବୀ ଦଳର ଖେଳାଳି ଏବଂ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜ୍ୱାଇଁ ଗଣେଶ ହେମ୍ବ୍ରମ୍ ଏହି ଚଳଚ୍ଚିତ୍ରର ମୁଖ୍ୟ ପ୍ରେରଣା ଥିଲେ। ପ୍ରଶାନ୍ତ ଶାହ, ଯଶୱନ୍ତ ସିଂହ ଓ ସବିର୍ ବକ୍ସୱାଲାଙ୍କ ପ୍ରଯୋଜିତ ତଥା ସାଗର ବାଲାରିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅଭୟ ଦେଓଲ, ଏମିଲି ଶାହ, ଅତୁଲ କୁମାର, ଷ୍ଟୁଓ୍ଵାର୍ଟ ରାଇଟ ଏବଂ ଜୁଲିଆନ୍ ଲେୱିସ୍ ଜୋନ୍ସ ପ୍ରମୁଖ ଅଭିନୟ କରିଛନ୍ତି ।

ଉଭୟ ଇଂଲଣ୍ଡ ଓ ଭାରତରେ ଏହାର ଶୁଟିଂ ହୋଇଥିଲା। ଇତିମଧ୍ୟରେ ସ୍ୱିଡେନ୍ ଚଳଚ୍ଚିତ୍ର ସମ୍ମାନ-୨୦୨୧, ମାଇକୋନୋସ୍ ଫିଲ୍ମ ଫେଷ୍ଟିଭାଲ, କାନ୍ସ ୱାର୍ଲ୍ଡ ଫିଲ୍ମ ଫେଷ୍ଟିଭାଲ-୨୦୨୧ର ଅନେକ କ୍ୟାଟେଗୋରୀରେ ପୁରସ୍କୃତ ହେବା ସହ ଏକାଦଶ ଦାଦା ସାହେବ ଫାଲ୍କେ ଇଣ୍ଟରନ୍ୟାସ୍ନାଲ୍ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ପୁରସ୍କୃତ ହୋଇ ସାରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.