୨୫ରେ ଓଡିଶା ଆସିବେ ଅମିତ ଶାହା, କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସୋନପୁରରେ ଅପରାହ୍ନରେ ହେବ ବିଶାଳ ଜନସଭା ।

ଭୁବନେଶ୍ଵର : ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସୋନପୁରରେ ଅପରାହ୍ନରେ ହେବ ବିଶାଳ ଜନସଭା ।  ସୋନପୁରରେ ଜନସଭାରେ ଯୋଗ ଦେବା ସହ ଭୁବନେଶ୍ବରରେ ଦଳୀୟ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର । ପ୍ରଥମେ ସୋନପୁର ଗସ୍ତ କରି ଜନସଭାକୁ ସମ୍ବୋଧନ କରିବେ ଶାହ ।

ପରେ ଭୁବନେଶ୍ବରରେ କାର୍ଯ୍ୟକର୍ତ୍ତାଙ୍କ ସହ ନିର୍ବାଚନୀ ରଣନୀତି ନେଇ ଆଲୋଚନା କରିବେ । ଏଥର ମା, ମାଟି ଓ ମାତୃଭାଷା ନେଇ ଲଢେଇ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଓଡିଆ ଅସ୍ମିତାକୁ ନେଇ ହେବ ଲଢେଇ । ରାତିରେ ଅମିତ ଶାହ ଭୁବନେଶ୍ବରରେ ଅବସ୍ଥାନ କରିବେ ।

ଆଗାମୀ ନିର୍ବାଚନରେ ବିଜେପି ସରକାର ଗଢିବା ନେଇ ରଣନୀତି କରିପାରନ୍ତି ଅମିତ ଶାହ । ୨୦୧୯ ନିର୍ବାଚନ ସମୟରେ ମଧ୍ୟ ଅମିତ ଶାହ ଓଡ଼ିଶାରେ ଅନେକ ରାଲି କରିଥିଲେ । ୨୦୧୯ ଏପ୍ରିଲ ୧ ତାରିଖରେ ବ୍ରହ୍ମପୁର ଓ ନବରଙ୍ଗପୁର ଲୋକସଭା ଆସନ ପାଇଁ ପ୍ରଚାର କରିଥିଲେ ।

୨୦୧୯ ଏପ୍ରିଲ ୭ ତାରିଖରେ ଆସିକା ଲୋକସଭା ଅଧିନ ପୋଲସରାରେ ରାଲି କରିଥିଲେ । ୨୦୧୯ରେ ଅମିତ ଶାହା ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ କ୍ୟାମ୍ପେନ ଆରମ୍ଭ କରିଥିଲେ । ଏଥର କିନ୍ତୁ ବଲାଙ୍ଗିର ଲୋକସଭା କ୍ଷେତ୍ରର ସୋନପୁରରୁ ପ୍ରଚାର ଆରମ୍ଭ କରିବେ । ବଲାଙ୍ଗିର ଲୋକସଭା ଆସନରୁ ସାଂସଦ ଅଛନ୍ତି ବିଜେପିର ସଂଗୀତା ସିଂ ଦେଓ । ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥାତ ମେ ୨୦ ତାରିଖରେ ବଲାଙ୍ଗିର ଲୋକସଭା କ୍ଷେତ୍ରରେ ଭୋଟିଂ ହେବ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.