Below header

ଓଡ଼ିଶା ସରକାର ଆଣିବେ ନୂଆ ଗୁଣ୍ଡା ଆଇନ୍‌, ଜିଲ୍ଲାପାଳମାନଙ୍କୁ ମିଳିବ ସ୍ୱତନ୍ତ୍ର କ୍ଷମତା

ଭୁବନେଶ୍ୱର (କେନ୍ୟୁଜ): କ୍ରାଇମ୍‌ ସିଣ୍ଡିକେଟ୍‌ ଉପରେ ହେବ ପ୍ରହାର । ସାବାଡ୍‌ ହେବେ ଗୁଣ୍ଡା ବଦମାସ । ସଂଗଠିତ ଅପରାଧ କଲେ କଡ଼ା ଶାସ୍ତି ମିଳିବ । ଓଡ଼ିଶା ସରକାର ଆଣିବେ ନୂଆ ଗୁଣ୍ଡା ଆଇନ୍‌ । ପ୍ରମାଦ ଗଣିବେ ହାର୍ଡକୋର୍‌ କ୍ରିମିନାଲ । ସେମାନଙ୍କର ସମ୍ପତ୍ତି ବାଜ୍ୟାପ୍ତି ହେବ । ଏହି ଆଇନ ବଳରେ ଜିଲ୍ଲାପାଳମାନଙ୍କୁ ମିଳିବ ସ୍ୱତନ୍ତ୍ର କ୍ଷମତା । ଅପରାଧରୁ ଉପାର୍ଜିତ ଧନକୁ ବାଜ୍ୟାପ୍ତି କରିବାର କ୍ଷମତା ଦିଆଯିବ । ସେଭଳି ଅପରାଧିଙ୍କୁ ସାହାଯ୍ୟ ସହଯୋଗ କରିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଦଣ୍ଡବିଧାନ ପ୍ରାବଧାନ ରହିବ । ହାର୍ଡକୋର୍‌ କ୍ରିମିନାଲ୍‌ ସହ ସମାଜ ବିରୋଧୀ କାର୍ଯ୍ୟ ପାଇଁ ଏହି ଆଇନ ଉଦ୍ଦିଷ୍ଟ ।

ପ୍ରସ୍ତାବିତ ଗୁଣ୍ଡା ଆଇନ୍‌ ଏବେ ଡ୍ରାଫ୍ଟ ଆକାରରେ ଅଛି । ଗୃହ ଓ ଆଇନ ମନ୍ତ୍ରାଳୟ ଆଇନ ଉପରେ ତର୍ଜମା ଚଳାଇଛନ୍ତି । ପ୍ରସ୍ତାବିତ ବିଲର ନାଁ ଓଡ଼ିଶା ଗୁଣ୍ଡା ଏଣ୍ଡ ଆଣ୍ଟି ସୋସିଆଲ୍‌ ଆକ୍ଟିଭିଟିଜ୍‌ (ପ୍ରିଭେନସନ୍‌) ବିଲ୍‌ । ଗୃହ ଓ ଆଇନ୍‌ ବିଭାଗର ଗ୍ରୀନ୍‌ ସିଗନାଲ୍‌ ପରେ କ୍ୟାବିନେଟ ମଞ୍ଜୁରୀ ମିଳିଲେ ବିଧାନସଭାରେ ଆଗତ ହେବ । କଟକ, ଭୁବନେଶ୍ୱର ସହ ରାଜ୍ୟର ସହରାଞ୍ଚଳରେ ବଢୁଛି ଅପରାଧିକ କାର୍ଯ୍ୟକଳାପ । ଦାଦାଗିରି, ଜୋରଜବରଦସ୍ତ ଟଙ୍କ ଆଦାୟ, ସୁପାରି କିଲିଂ, ଜମି ଜବରଦଖଲ, ଅପହରଣ ଭଳି ଘଟଣା ବଢୁଛି । କିଛି ସ୍ଥାନରେ ସରକାରୀ ଅଫିସରଙ୍କ ଛତ୍ରଛାୟାରେ ଅପରାଧୀ କାୟା ମେଲାଉଛନ୍ତି । କିଛି କେସରେ ସବୁ ଜାଣିଶୁଣି ଅଫିସର ଚୁପ୍‌ ରହୁଥିବା ଘଟଣା ସାମନାକୁ ଆସିଥାଏ । ଗୁଣ୍ଡା ବିଲ ଆସିଲେ ସରକାର ଜଣେ ବ୍ୟକ୍ତିଙ୍କୁ ଗୁଣ୍ଡା ଘୋଷଣା କରିପାରିବେ ।

ନଜର ପକାନ୍ତୁ ପ୍ରସ୍ତାବିତ ଆଇନରେ କଣ ରହିବ ଦଣ୍ଡବିଧାନ ବ୍ୟବସ୍ଥା

ଏହି ଆଇନ ବଳରେ ଜଣେ ଦୋଷୀ ସାବ୍ୟସ୍ତ ହେଲେ ସର୍ବନିମ୍ନ ୭ ବର୍ଷ ଜେଲଦଣ୍ଡ ଭୋଗିବ । ତାଙ୍କର ସମ୍ପତ୍ତି ଆଟାଚ୍‌ କରିବେ ଜିଲ୍ଲାପାଳ । ଅପରାଧ କରି ସମ୍ପତ୍ତି ବଢ଼ାଇଥିଲେ କୋର୍ଟରେ ସାର୍ଜସିଟ୍‌ ଦାଖଲ ପୂର୍ବରୁ ସମ୍ପତ୍ତି ବାଜ୍ୟାପ୍ତି ହେବ । ସ୍ୱତନ୍ତ୍ର କୋର୍ଟରେ ହେବ ଏଭଳି ମାମଲାର ଶୁଣାଣି । ସରକାରୀ ଅଫିସର ଦୋଷୀ ସାବ୍ୟସ୍ତ ହେଲେ ୩ରୁ ୧୦ ବର୍ଷ ଯାଏ ଜେଲ୍‌ ଦଣ୍ଡାଦେଶ ପ୍ରାବଧାନ ରହିବ । ମାମଲାରେ ସାକ୍ଷୀଙ୍କ ନାଁ, ଠିକଣା ଗୋପନୀୟ ରହିବ । କେସ୍‌ ରେକର୍ଡସ କିମ୍ବା ରାୟ କପିରେ ସାକ୍ଷୀଙ୍କର କୌଣସି ତଥ୍ୟ ରହିବ ନାହିଁ । ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପୂର୍ବରୁ ଗୁଜରାଟ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଗୁଣ୍ଡା ଆଇନ କାର୍ଯ୍ୟକାରୀ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.