Below header

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, କହିଲେ ଓଡ଼ିଶା ବିକାଶ ଧାରାରେ ଆଗକୁ ବଢୁଛି

କେନ୍ୟୁଜ୍(ବ୍ୟୁରୋ):  ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶା ଓ ସ୍ୱପ୍ନ ପୂରଣ କରିବାକୁ ଓଡ଼ିଶା ବିକାଶ ଧାରାରେ ଆଗକୁ ବଢୁଛି। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି, ନିରନ୍ତର ବିକାଶ ହାସଲ କ୍ଷେତ୍ରରେ ଦେଶରେ ଦ୍ୱିତୀୟ ଫାଷ୍ଟେଟ୍‌ ମୁଭର୍‌ ଷ୍ଟେଟ୍‌ ହେଉଛି ଓଡିଶା ।

ମହିଳା, ଚାଷୀ, ଶ୍ରମିକ ଓ ଯୁବକ ରାଜ୍ୟର ଅର୍ଥନୀତିର ମେରୁଦଣ୍ଡ। ସେମାନଙ୍କ ସଶକ୍ତୀକରଣ ଯୋଗୁ ବିକାଶ ଧାରା ଆଗକୁ ବଢୁଛି । ସୁଶାସନ କ୍ଷେତ୍ରରେ 5T ସାରା ଦେଶ ପାଇଁ ଏକ ମଡେଲ ହୋଇ ପାରିଛି। ଲୋକଙ୍କୁ ଠିକ୍‌ ସମୟରେ ଉତ୍ତମ ସେବା ଯୋଗାଇବାରେ 5T ମନ୍ତ୍ର ଲୋକପ୍ରିୟ ହୋଇ ପାରିଛି । ମୋ ସରକାର କାର୍ଯ୍ୟକ୍ରମ ଜନସାଧାରଣ ଓ ସରକାର ମଧ୍ୟରେ ସମ୍ପର୍କକୁ ମଜଭୁତ କରି ପାରିଛି ।

ପ୍ରଶାସନର ଉତ୍ତରଦାୟିତ୍ୱ ବଢିଛି । ପୁରୀ ଧାମ ଓ ଏକାମ୍ର କ୍ଷେତ୍ରର ରୂପାନ୍ତର ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ଓଡ଼ିଶାର କଳା ଓ ସଂସ୍କୃତିକୁ ସମ୍ପୃଦ୍ଧି କରିଛି। ନବୀନ କହିଛନ୍ତି, ଭାରତ ଗାନ୍ଧୀଙ୍କ ଦେଶ । ସତ୍ୟ ଓ ଅହିଂସାର ଦେଶ । ବିଭିନ୍ନ ବିଚାର ଓ ବିଭିନ୍ନ ବିଶ୍ୱାସର ଦେଶ। ସମସ୍ତଙ୍କୁ ସାଥିରେ ଧରି ବିକାଶର ବିଭିନ୍ନ କ୍ଷେତ୍ରରେ ଭାରତ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି ।

ଦେଶର ବିକାଶରେ ରାଜ୍ୟମାନଙ୍କର ମଧ୍ୟ ବିଶେଷ ଅବଦାନ ରହିଛି। ସମସ୍ତଙ୍କୁ ସାଥିରେ ନେଇ ଓଡ଼ିଶା ଆଜି ନୂଆ ସଂକଳ୍ପରେ ଆଗକୁ ବଢୁଛି। ସେବା, ସାହାସ, ଦକ୍ଷତା ଓ ପ୍ରତିବଦ୍ଧତା ହେବ ନୂଆ ଓଡ଼ିଶାର ପରିଚୟ। ଏହା ହେବ ଶ୍ରେଷ୍ଠ ଓଡ଼ିଶା। ନୂଆ ଓଡ଼ିଶା ଗଠନ ଦିଗରେ ଏକାଠି ହୋଇ କାମ କରିବାକୁ ଆହ୍ଵାନ ଦେଇଛନ୍ତି ନବୀନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.