Below header

ଓଡ଼ିଆ ମହିଳାଙ୍କୁ ସ୍ବାବାଲମ୍ବୀ କରୁଛି ଓଡ଼ିଶା ମିଲେଟ୍ସ ମିଶନ, ଦେଉଛି ସ୍ୱତନ୍ତ୍ର ପରିଚୟ

ପ୍ରଥମେ ମହିଳାମାନେ ଧୂପ, ଆଚାର, ମୁଢ଼ି ଏବଂ ଛତୁଆ ଆଦି ତିଆରି କରିବା ସହ ଅନ୍ୟାନ୍ୟ ଛୋଟ ବଡ କାମରେ ନିୟୋଜିତ ଥିଲେ । ସଫଳତା ପାଇବାର ଇଚ୍ଛାଶକ୍ତି ଆଗରେ ବାଧକ ସାଜିଥିଲା ସୁଯୋଗ । ଅନେକ ପରିଶ୍ରମ କରି ମଧ୍ୟ ଉଚିତ୍ ମୂଲ୍ୟ ପାଇପାରୁନଥିଲେ ।

କେନ୍ୟୁଜ୍(ବ୍ୟୁରୋ):  ଦିନ ଥିଲା ମହିଳାମାନେ ଘରର ଚାରିକାନ୍ଥ ମଧ୍ୟରେ ରହି କେବଳ ଘର କାମରେ ନିୟୋଜିତ ଥିଲେ । ଧୀରେ ଧୀରେ ସମୟର ପରିବର୍ତ୍ତନ ସହ ସେମାନେ ଘରର ଚାରିକାନ୍ଥ ମଧ୍ୟରୁ ବାହାରି ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ ପ୍ରତ୍ୟେକ କାର୍ଯ୍ୟରେ ଯୋଗ ଦେବା ସହ ପ୍ରତିଟି କ୍ଷେତ୍ରରେ ନିଜ ଦକ୍ଷତାକୁ ପ୍ରତିପାଦନ କରି ସେମାନେ ପ୍ରମାଣ କରିପାରିଛନ୍ତି ଯେ ସେମାନେ ମଧ୍ୟ ପୁରୁଷଙ୍କ ଠାରୁ କମ୍ ନୁହଁନ୍ତି ।

ସେହିପରି ସୁନ୍ଦରଗଡ ଜିଲ୍ଲାର ଝିରାପାଣି ଗାଁ ର ୧୦ଜଣ ମହିଳାଙ୍କୁ ନେଇ ୨୦୦୯ ମସିହାରେ ଗଠିତ ହୋଇଥିଲା ‘ଦିବ୍ୟଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀ’ । ପ୍ରଥମେ ମହିଳାମାନେ ଧୂପ, ଆଚାର, ମୁଢ଼ି ଏବଂ ଛତୁଆ ଆଦି ତିଆରି କରିବା ସହ ଅନ୍ୟାନ୍ୟ ଛୋଟ ବଡ କାମରେ ନିୟୋଜିତ ଥିଲେ । ସଫଳତା ପାଇବାର ଇଚ୍ଛାଶକ୍ତି ଆଗରେ ବାଧକ ସାଜିଥିଲା ସୁଯୋଗ । ଅନେକ ପରିଶ୍ରମ କରି ମଧ୍ୟ ଉଚିତ୍ ମୂଲ୍ୟ ପାଇପାରୁନଥିଲେ । କିନ୍ତୁ ସମୟକ୍ରମେ ପୁଷ୍ଟିଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହୋଇଥିବା ଓଡ଼ିଶା ମିଲେଟ୍ସ ମିଶନ ମାଧ୍ୟମରେ ସେମାନଙ୍କ ପାଇଁ ସୃଷ୍ଟି ହେଲା ପରିବର୍ତ୍ତନର ସୁଯୋଗ, ଯାହା ମହିଳାମାନଙ୍କ ପାଇଁ ଏକ ବରଦାନଠାରୁ କମ୍ ନଥିଲା ।

ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନ ତରଫରୁ ସୁନ୍ଦରଗଡ ଜିଲ୍ଲାରେ ପୁଷ୍ଟିଶସ୍ୟର ପ୍ରୋତ୍ସାହନ ଏବଂ ଏଥିରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ନେଇ ହୋଇଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦିବ୍ୟଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସାମିଲ୍ ହୋଇଥିଲେ। ଯେଉଁଥିରେ ସେମାନଙ୍କୁ ପୁଷ୍ଟିଶସ୍ୟ ଭିତ୍ତିକ ଖାଦ୍ୟ ଏବଂ କାଫେ ଓ ଆଉଟଲେଟର ପରିଚାଳନା ଉପରେ ତାଲିମ୍ ଦିଆଯାଇଥିଲା । ତାଲିମ୍ ପାଇ ସେମାନେ ପୁଷ୍ଟିଶସ୍ୟ ଭିତ୍ତିକ ଖାଦ୍ୟକୁ ନିଜେ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନ ତରଫରୁ ୨୦୨୧ ମସିହାରେ ମିଲେଟ୍ ଶକ୍ତି କାଫେର ପରିଚାଳନା ଦାୟିତ୍ୱର ସୁଯୋଗ ପାଇଲେ । ଧୀରେ ଧୀରେ କାମ କରିବା ଫଳରେ ସେମାନେ ଅଧିକ ଲାଭପ୍ରଦ ହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି । ବର୍ତ୍ତମାନ ସେମାନେ ପୁଷ୍ଟିଶସ୍ୟରୁ ୪୦ ପ୍ରକାରର କୁକିଜ୍ ସମେତ ମାଣ୍ଡିଆ ବରା, ପିଠା, ଦୋସା, ଖେଚୁଡ଼ି, ବିରୀୟାନି, ଆଦି ପ୍ରସ୍ତୁତ କରି ଲୋକପ୍ରିୟତା ହାସଲ କରିଛନ୍ତି ।

ଏନେଇ ଦିବ୍ୟଜ୍ୟୋତି ସ୍ୱୟଂ ସହାୟିକା ଗୋଷ୍ଠୀର ସମ୍ପାଦିକା ପ୍ରେମା ଦାସ କୁହନ୍ତି ଯେ ” ପୂର୍ବରୁ ମାଣ୍ଡିଆରୁ କେବଳ ଜାଉ ହୁଏ ବୋଲି ଜାଣିଥିଲୁ । କିନ୍ତୁ ଓଡ଼ିଶା ମିଲେଟ୍ସ ମିଶନର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ପୁଷ୍ଟିଶସ୍ୟର ପ୍ରକାରଭେଦ ଏବଂ ଏଥିରୁ ପ୍ରସ୍ତୁତ ହୋଇପାରୁଥିବା କୁକିଜ୍, ବିସ୍କୁଟ, ପିଠା, ମିକ୍ସଚର୍ ଏବଂ ଅନ୍ୟାନ୍ୟ ଖାଦ୍ୟ ବିଷୟରେ ଜାଣିବାକୁ ପାଇଲୁ । ପରେ ଏହାକୁ ନିଜେ ପ୍ରସ୍ତୁତ କଲୁ । ଏହାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଲା । ପୂର୍ବରୁ ଆମେ ୪ହଜାର ରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲୁ । କିନ୍ତୁ ବର୍ତ୍ତମାନ ବର୍ଷକୁ ଦେଢ଼ କୋଟି ଟଙ୍କା ରୋଜଗାର କରୁଛୁ । ଏଥିପାଇଁ ବିଭିନ୍ନ ସ୍ତରରେ ପ୍ରଶଂସା ସାଉଁଟିବା ପରେ ଏହାକୁ ଆମେ ଆମ ମୁଖ୍ୟ ବ୍ୟବସାୟ ଭାବେ ଆପଣେଇଛୁ ଏବଂ ଯେଉଁଠି ଆମେ ନିଜେ ଏହି କାର୍ଯ୍ୟ ପାଇଁ ତାଲିମ୍ ନେଉଥିଲୁ, ବର୍ତ୍ତମାନ ସେଠି ଆମେ ଅନ୍ୟ ମହିଳାମାନଙ୍କୁ ତାଲିମ୍ ପ୍ରଦାନ କରୁଛୁ” ।

କେବଳ ଏତିକି ନୁହେଁ ବରଂ ଦିବ୍ୟଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ୟାରିସଠାରେ ଆୟୋଜିତ ଅନ୍ତର୍ଜାତୀୟ ଖାଦ୍ୟ ସମ୍ମିଳନୀ ସିଆଲ୍-୨୦୨୨, ଗୋଆରେ ହୋଇଥିବା ଖାଦ୍ୟ ପ୍ରଦର୍ଶନୀ ଏବଂ ଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨ ରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ନେଇ ଅଂଶଗ୍ରହଣ କରିବାରେ ସୁଯୋଗ ପାଇଥିଲେ । ଏହା ସହ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା “ଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀ” ଭାବେ ପୁରସ୍କୃତ ହୋଇଥିଲେ । ଯାହାଫଳରେ ଆଜି ଏହି ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ସ୍ଥାନୀୟ ଅଞ୍ଚଳରେ ନୁହେଁ ବରଂ ଦେଶ – ବିଦେଶରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.