ନଦୀରୁ ଅଖାରେ ଭର୍ତ୍ତି ବୃଦ୍ଧାଙ୍କ ମୃତଦେହ ଉଦ୍ଧାର
ଯୋଡ଼ା(କେନ୍ଯୁଜ୍): ନଦୀରୁ ଅଖାରେ ଭର୍ତ୍ତି ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା, ଯୋଡ଼ା ଥାନା ଅନ୍ତର୍ଗତ ବାସୁଦେବପୁର, ବୈତରଣୀ ନଦୀରୁ ଏକ ଅଖାରେ ଭର୍ତ୍ତି ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି, ଚମ୍ପୁଆ ଥାନା ଧୋବାକୁଚୁଡା ଗାଁର ୭୨ ବର୍ଷୀୟା ବୃଦ୍ଧା ମଲ୍ଲୀ ନାଏକ । ମୃତକଙ୍କ ସମ୍ପର୍କୀୟଙ୍କ ଠାରୁ ଖବର ପାଇବା ପରେ ଯୋଡ଼ା ପୋଲିସ୍, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗର ସହାୟତାରେ ମୃତଦେହକୁ ଉଦ୍ଧାର କରି ଛନାଭିନ ଆରମ୍ଭ କରିଛି ।
ମୃତ ବୃଦ୍ଧା, ମଲ୍ଲୀ ନାଏକଙ୍କ ପୁତୁରା ଦିଲୀପଙ୍କ କହିବା କଥା, ପିଉସୀ ମଲ୍ଲୀ ସମ୍ପର୍କୀୟ ନାତି ରାଜନ ନାଏକ ଓ ନାତୁଣୀ ବୋହୂ ଭାରତୀ ନାଏକଙ୍କ ସହ ଶଙ୍କରପୁର ସ୍ଥିତ ଏକ ଭଡ଼ା ଘରେ ରହିଆସୁଥିଲେ । ତେବେ ଗତ ମଙ୍ଗଳବାର ଠାରୁ ମଲ୍ଲୀଙ୍କୁ ଗ୍ରାମର କେହି ଲୋକ ଦେଖିବାକୁ ପାଇନଥିଲେ।ଯାହାଫଳରେ ତାଙ୍କର ସନ୍ଦେହ ହୋଇଥିଲା ଏବଂ ଏନେଇ ଗ୍ରାମର କିଛି ବ୍ଯକ୍ତି ତାଙ୍କୁ ଜଣାଇଥିଲେ ।
ଏହା ଜାଣିବା ପରେ ସେ ଶଙ୍କରପୁର ଆସି ପିଉସୀଙ୍କୁ ଖୋଜିଥିଲେ । ପୁତୁରା ରାଜନକୁ ପଚରା ଉଚୁରା ପରେ, ମୃତଦେହକୁ ସେ ନଦୀରେ ଫିଙ୍ଗି ଦେଇଥିବା କହିଥିଲେ ବୋଲି ଦିଲୀପ ସୂଚନା ଦେଇଛନ୍ତି । ତେବେ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଯୋଡ଼ା ପୋଲିସ ମୃତଦେହକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।
ସମ୍ପର୍କୀୟ ନାତି ରାଜନ ନାଏକ ଓ ନାତୁଣୀ ବୋହୂ ଭାରତୀ ନାଏକକୁ ପଚାର ଉଚୁରା ଚଳାଇଛି ପୋଲିସ୍ ।