Below header

ନାବାଳିକା ଗଣଦୁଷ୍କର୍ମ ମାମଲା : ଭୁବନେଶ୍ୱର ଡିସିପିଙ୍କ ଜରିଆରେ ଓଟିଭି ଏମଡିଙ୍କୁ ରାଜ୍ୟ ମହିଳା କମିଶନଙ୍କ ପୁଣି ସମନ୍, ଅକ୍ଟୋବର ୧ରେ ହେବେ ହାଜର

ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡାଙ୍କୁ ରାଜ୍ୟ ମହିଳା କମିଶନଙ୍କ ପୁଣି ସମନ୍‌। ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ତାଙ୍କୁ ପୁଣି ହାଜର ପାଇଁ ସମନ କରିଛି ରାଜ୍ୟ ମହିଳା କମିଶନ । ଆସନ୍ତା ଅକ୍ଟୋବର ୧ ତାରିଖରେ ହାଜର ହେବା ପାଇଁ କୁହାଯାଇଛି। ଡିସିପିଙ୍କ ଜରିଆରେ ଏହି ସମନ ଜାରି କରାଯାଇଛି । ପୂର୍ବରୁ ନାବାଳିକା ପୀ଼ଡିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ମହିଳା କମିଶନ ଓଟିଭି ଏମଡିଙ୍କୁ ସମନ କରିଥିଲେ । ଏହାପରେ ଗତକାଲି ମହିଳା କମିଶନରେ ହାଜର ହୋଇଥିଲେ ଜଗି ମଙ୍ଗତ ପଣ୍ଡା । କିନ୍ତୁ ଶୁଣାଣୀ ଆରମ୍ଭ ପୂର୍ବରୁ ବ୍ୟକ୍ତିଗତ କାମ କଥା କହି ପଳେଇ ଆସିଥିଲେ। ତେଣୁ ମହିଳା କମିଶନ କୋର୍ଟଙ୍କ ନିୟମ ଅନୁସାରେ ଉଭୟ ପକ୍ଷଙ୍କୁ ଶୁଣି ପାରିନଥିଲେ କମିଶନ। ଏଥିପାଇଁ ପୁଣି ତାଙ୍କୁ ଭୁବନେଶ୍ୱର ଡିସିପି ଜରିଆରେ ସମନ୍‌ କରିଛନ୍ତି କମିଶନ।

ରାଜ୍ୟ ମହିଳା କମିଶନଙ୍କର କଣ ରହିଛି କ୍ଷମତା ଆସନ୍ତୁ ନଜର ପକାଇବା । ମହିଳା କମିଶନଙ୍କ ସିଭିଲ କୋର୍ଟର କ୍ଷମତା ଦିଆଯାଇଛି । ମହିଳାଙ୍କ ଅତ୍ୟାଚାର ସମ୍ପର୍କରେ ସାରା ଭାରତବର୍ଷର କୌଣସି ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ହାଜିରା ଦେବା ପାଇଁ କମିଶନ ନିର୍ଦ୍ଦେଶ ଦେଇପାରିବେ । ନିର୍ଦ୍ଦେଶ ମୁତାବକ ନିର୍ଦ୍ଦିଷ୍ଟ ତାରିଖରେ ଯଦି ସମ୍ପୃକ୍ତ ବ୍ୟକ୍ତି ହାଜର ନହୁଅନ୍ତି ତାହାହେଲେ ତାଙ୍କୁ କ୍ଷମତା ପ୍ରୟୋଗ କରି ହାଜର କରିବା ପାଇଁ ମହିଳା କମିଶନଙ୍କ କ୍ଷମତା ରହିଛି। ଏହା ବାଦ୍‌ ମହିଳା ସଂପର୍କିତ କୌଣସି ପ୍ରସଙ୍ଗରେ ଦସ୍ତାବିଜ ଉପସ୍ଥାପନ କରିବା ପାଇଁ ମହିଳା କମିଶନ ନିର୍ଦ୍ଦେଶ ଦେଇପାରିବେ। ଏପରିକି ସତ୍ୟପାଠ ଦାଖଲ କରିଥିବା ସାକ୍ଷୀମାନଙ୍କୁ ମଧ୍ୟ କମିଶନ ତାଙ୍କ କୋର୍ଟରେ ଜେରା କରିପାରିବେ। ଗତ ଅଗଷ୍ଟ ୩୦ରେ ନାବାଳିକା ଝିଅକୁ ଦୁଷ୍କର୍ମ ହୋଇଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ପତ୍ରରେ ୭ଜଣଙ୍କ ନାଁ ପୀଡ଼ିତା ଉଲ୍ଲେଖ କରିଥିଲେ । ଯେଉଁଥିରେ ଓଟିଭିର ଦୁଇଜଣ କର୍ମଚାରୀ, ଦୁଇଜଣ ସିକ୍ୟୁରିଟି ଗାର୍ଡ, ଜଣେ ପୋଲିସ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ଅଛନ୍ତି । ମାମଲାରେ ଏଯାଏ ଜଣେ ବି ଅଭିଯୁକ୍ତକୁ ପୋଲିସ ଗିରଫ କରିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.