Below header

ଅଭିନବ ପ୍ରତିବାଦ, ଶିକ୍ଷକ ଅଭାବ ଯୋଗୁଁ ସ୍କୁଲରୁ ପିଲାଙ୍କୁ ନେଇଗଲେ ଅଭିଭାବକ

ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନ ହେବାଯାଏଁ ନିଜ ପିଲାଙ୍କୁ ସ୍କୁଲକୁ ନ ଛାଡିବା ପାଇଁ ନିଷ୍ପତି ନେଇଥିଲେ ଅଭିଭାବକ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ସ୍ଥାନୀୟ ଅଭିଭାବକମାନେ ସରପଞ୍ଚ ଦୋଳଗୋବିନ୍ଦ ପ୍ରଧାନଙ୍କ ଉପସ୍ଥିତିରେ ବିଦ୍ୟାଳୟରୁ ନିଜ ନିଜ ପିଲାଙ୍କୁ ଘରକୁ ନେଇଯାଇଥିଲେ ।

ଗ୍ରାମବାସୀଙ୍କ ଅଭିନବ ଉପାୟରେ ପ୍ରତିବାଦ । ଗାଁ ସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ସ୍କୁଲରୁ ନିଜ ପିଲାଙ୍କୁ ଅଭିଭାବକ ଘରକୁ ନେଇଗଲେ । ଆଇନ ବିରୁଦ୍ଧରେ କୌଣସି ପ୍ରକାରର ପ୍ରତିବାଦ ନକରି ନିଜ ପିଲାଙ୍କୁ ସ୍କୁଲରୁ ନେଇଗଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଦ୍ୟାଳୟରେ ଶିକ୍ଷା ଦାନରେ ଅବ୍ୟବସ୍ଥା ଯୋଗୁଁ ନିଜ ପିଲାଙ୍କୁ ସ୍କୁଲର ମଧ୍ୟାହ୍ନ ଭୋଜନରୁ ମଧ୍ୟ ବାରଣ କଲେ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଖିଲେଇ ପଞ୍ଚାୟତ ଅନ୍ତର୍ଗତ ତଲେଇସର ଗାଁରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ତଲେଇସର ଗାଁରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟରେ ୧୯୫୭ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା । କିଛି ବର୍ଷ ପରେ ଏହି ସ୍କୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାବେ ମାନ୍ୟତା ପାଇଲା ।

ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୫୮ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ସ୍କୁଲରେ ମାତ୍ର ୨ ଜଣ ଶିକ୍ଷକ ରହିଛନ୍ତି । ସେଥିମଧ୍ୟରୁ ଜଣେ ଶିକ୍ଷକ ସରକାରୀ କାର୍ଯ୍ୟରେ ନିୟୋଜିତ ରହୁଥିବା ବେଳେ ଜଣେ ମାତ୍ର ଶିକ୍ଷକ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରିବା ଅସମ୍ଭବ ହୋଇପଡିଛି । ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ ବହୁବାର ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଗ୍ରାମବାସୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ଏକ ବୈଠକ କରିଥିଲେ । ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନ ହେବାଯାଏଁ ନିଜ ପିଲାଙ୍କୁ ସ୍କୁଲକୁ ନ ଛାଡିବା ପାଇଁ ନିଷ୍ପତି ନେଇଥିଲେ ଅଭିଭାବକ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ସ୍ଥାନୀୟ ଅଭିଭାବକମାନେ ସରପଞ୍ଚ ଦୋଳଗୋବିନ୍ଦ ପ୍ରଧାନଙ୍କ ଉପସ୍ଥିତିରେ ବିଦ୍ୟାଳୟରୁ ନିଜ ନିଜ ପିଲାଙ୍କୁ ଘରକୁ ନେଇଯାଇଥିଲେ । ଏହା ସହ ପିଲାଙ୍କ ପାଇଁ ରନ୍ଧା ଯାଇଥିବା ମଧ୍ୟାହ୍ନ ଭୋଜନକୁ ମଧ୍ୟ ସମସ୍ତ ଅଭିଭାବକମାନେ ବର୍ଜନ କରିଥିଲେ ।

ଅନ୍ୟପଟେ ସୂଚନା ପାଇବା ପରେ ଖିଲେଇ ସିଆରସିସି ପ୍ରଦୀପ କୁମାର ଅଟ୍ଟୀ ଘଟଣା ସ୍ଥଳରେ ପହଞ୍ଚି ଅଭିଭାବକମାନଙ୍କୁ ବୁଝାସୁଝା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଗ୍ରାମବାସୀ ମାନେ ନିଜ ନିଷ୍ପତିରେ ଅଟଳ ରହିଥିଲେ । ତେବେ ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ସିଆରସିସି ଶ୍ରୀ ଅଟ୍ଟୀ ପ୍ରକାଶ କରିଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାର କେତେ କଣ ଯୋଜନା କରୁଛନ୍ତି । କିନ୍ତୁ ଏବେ ବି ଅନେକ ସ୍ଥାନରେ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉ ନଥିବା ଦେଖିବାକୁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.