ଆସନ୍ତା ଏପ୍ରିଲ ୧ ତାରିଖରୁ ପୁରୀ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କଟକଣା

ପୁରୀ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କଟକଣା । ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ କଟକଣା । ଶ୍ରୀମନ୍ଦିର ମହାପ୍ରସାଦ କିମ୍ବା ଶୁଖିଲା ମହାପ୍ରସାଦ କୌଣସି ପରିସ୍ଥିତିରେ ମଧ୍ୟ ପଲିଥିନରେ ବିକ୍ରି କରାଯିବ ନାହିଁ । ପୂର୍ବରୁ ପୁରୀ ସହର ଓ ଶ୍ରୀମନ୍ଦିରକୁ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ କରିବାକୁ ଘୋଷଣା କରାଯାଇଥିଲେ ମଧ୍ୟ ଏହା ଠିକ୍‌ ଭାବେ ଲାଗୁ କରାଯାଇନଥିଲା । ଏବେ ଦୁଇ ମାସ ଧରି ଜନସଚେତନା ପରେ ଆସନ୍ତା ଏପ୍ରିଲ ପହିଲାରୁ ପ୍ଲାଷ୍ଟିକ କଟକଣା ଲାଗୁ କରିବାକୁ ଶ୍ରୀମନ୍ଦିର ଛତିଶା ନିଯୋଗ କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ଆଦି ବ୍ୟବହାର କରାଯାଇପାରିବ ନାହିଁ । ଭକ୍ତ କିମ୍ବା ସେବାୟତ ପାନ, ଗୁଟଖା ଛେପ ପକାଇଲେ ୫ ଶହ ଟଙ୍କା ଜରିମାନା ଗଣିବେ ।

ଏନେଇ ଖୁବଶୀଘ୍ର ଜାରି ହେବ ନିର୍ଦ୍ଦେଶନାମା । ଶ୍ରୀମନ୍ଦିରରେ ୮ ତାରିଖରେ ମେଣ୍ଢାପୋଡ଼ି ଓ ୯ ତାରିଖରେ ଦୋଳପୂର୍ଣ୍ଣିମା ନୀତିକୁ ମଧ୍ୟ ଛତିଶାନିଯୋଗ ବୈଠକରେ ଅନୁମୋଦନ ମିଳିଛି । ଦୋଳପୂର୍ଣ୍ଣିମାରେ ମହାପ୍ରଭୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ଦର୍ଶର୍ନ ଦେବେ। ଏହି ବିଶେଷ ଦିନରେ ରାତି ୩ଟାରୁ ଦ୍ୱାରଫିଟା ଯାଇ ନୀତିକୁ ଶୃଙ୍ଖଳିତ କରାଯିବ । ମହାପ୍ରସାଦ ଠିକ ସମୟରେ ବାହାର କରିବା ପାଇଁ ସଂପୃକ୍ତ ୪ଟି ନିଯୋଗ ଆଲୋଚନା ମାଧ୍ୟମରେ ପ୍ରୟାସ କରିବେ । ସେହିପରି ଶ୍ରୀମନ୍ଦିର ଭିତରେ ଓ ଚତୁଃପାର୍ଶ୍ୱରେ ଭିକ୍ଷାବୃତ୍ତିକୁ ନିଷିଦ୍ଧ କରିବା ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିବଥିବା ଯୋଜନାରେ ଶ୍ରୀମନ୍ଦିର ପ୍ରଶାସନ ସହଯୋଗ କରିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକରେ ସମସ୍ତ ନିଯୋଗର ପ୍ରତିନିଧି ଯୋଗଦେଇ ଆଲୋଚନା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.