ମାଲକାନଗିରି ଜିଲ୍ଲାରେ ପୋଲାଭରମ ଇଫେକ୍ଟ, ମୋଟୁ ତହସିଲର ପାଞ୍ଚଟି ଗାଁ ଜଳମଗ୍ନ
ମାଲକାନଗିରି ଜିଲ୍ଲାରେ ପୋଲାଭରମ ଇଫେକ୍ଟ । ବର୍ଷା ଛାଡ଼ିବା ପରେ ଜିଲ୍ଲାରେ ସ୍ୱାଭାବିକ ହୋଇଛି ଜନଜୀବନ । ହେଲେ ସୀମାନ୍ତରେ ଥିବା ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିିତି । ପ୍ରକଳ୍ପ ପ୍ରଭାବରେ ସିଲେରୁ ଓ ସାବେରୀ ନଦୀର ଜଳ ନିଷ୍କାସନ ହୋଇ ପାରୁନି । ଫଳରେ ମୋଟୁ ତହସିଲର ପାଞ୍ଚଟି ଗାଁ ଏବେ ଜଳମଗ୍ନ ।
ମୋଟୁରେ ପୋଲାଭରମ ଇଫେକ୍ଟ । ବୁଡ଼ି ଯାଇଛି ପାଞ୍ଚ ପଞ୍ଚାୟତ । ପ୍ରକଳ୍ପ ସରି ନଥିବା ବେଳେ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ପ୍ରଭାବ। ପ୍ରକଳ୍ପ ପାଇଁ ନିଷ୍କାସନ ହୋଇ ପାରୁନି ସିଲେରୁ ଓ ସାବେରୀ ନଦୀର ଜଳ। ଫଳରେ ନଦୀର ପଛ ପାଣିରେ ବୁଡ଼ି ଯାଇଛି ମୋଟୁ ଅଞ୍ଚଳର ପାଞ୍ଚଟି ପଞ୍ଚାୟତ। ଲୋକଙ୍କ ପାଇଁ ଏବେ ଦେଶୀ ଡଙ୍ଗା ସାହା ଭରସା ପାଲଟିଛି। କେବଳ ଯାତାୟାତ ନୁହେଁ, ସେମାନଙ୍କ ପାଇଁ ଡଙ୍ଗା ପାଲଟିଛି ଘର। ତା ଭିତରେ ରହିବା, ଖାଇବା ସବୁ କିଛି ।
ଏବେ ଦୁର୍ଦ୍ଦଶାରେ ଅଛନ୍ତି ଲୋକେ । ପାଣି ଛାଡିବାକୁ ଆଉ କିଛି ଦିନ ସମୟ ଲାଗିବ । ପୁଣି ସ୍ୱାଭାବିକ ହେବ ଯାତାୟାତ । ହେଲେ ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଏହି ୫ଟି ପଞ୍ଚାୟତ ଓଡ଼ିଶା ମାନଚିତ୍ରରୁ ସଂପୂର୍ଣ୍ଣ ବିଲୀନ ହୋଇଯିବ। ଆଗକୁ ଭିଟାମାଟି ଉଜୁଡି ଯିବା ଏବେଠାରୁ ଜଳଜଳ ହୋଇ ଦିଶୁଛି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଲୋକ। ।
ସୂଚନା ଅନୁଯାୟୀ ଚିନ୍ତୁର ଥାନା ଅଞ୍ଚଳରେ ଅନେକ ଗାଁ ଜଳମଗ୍ନ ହୋଇ ଯାଇଛି। ରାଞ୍ଚି ବିଜୟଓ୍ଵାଡା ଜାତୀୟ ରାଜପଥରେ ଏବେ ମୋଟର ଡଙ୍ଗାରେ ଯାତାୟାତ କରିବାକୁ ପଡ଼ୁଛି। କେବଳ ଓଡ଼ିଶା ନୁହେଁ, ଆନ୍ଧ୍ର ସମେତ ତେଲେଙ୍ଗାନା ଓ ଛତିଶଗଡ଼ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହେବ।