Below header

ଅଲୋଡ଼ା ଅଲିଅଳୀ : ମଶାଣୀରୁ ଉଦ୍ଧାର ହେଲା ମୃତ ଶିଶୁକନ୍ୟା, ଗାଁରେ ଚର୍ଚ୍ଚା

ଯାଜପୁର ରୋଡ଼(କେନ୍ୟୁଜ୍‌) : ଝିଅ କୈାଣସି ଗୁଣରେ ପୁଅ ଠାରୁ କମ୍‌ ନୁହେଁ । ଝିଅଙ୍କୁ ପୁଅଙ୍କ ସହ ସମାନ ଅଧିକାର ଦେବା ପାଇଁ ଆଇନରେ ସବୁ ପ୍ରକାର ପ୍ରାବଧାନ ରହିଛି । ତଥାପି ପୁରୁଷ ପ୍ରଧାନ ସମାଜରେ ଝିଅ ସର୍ବଦା ଅବହେଳିତ ଓ ଲାଞ୍ଚିତ ହୋଇ ଆସୁଛି ।

ମାଳ ମାଳ ଆଇନ କାନୁନ ଭିତରେ ଏହା ଛନ୍ଦି ହୋଇଥିବା ବେଳେ ମଣିଷର ମାନସିକତାରେ ଏହାର କିଛି ପ୍ରଭାବ ପଡ଼ିନି । ଶିଶୁ ଭ୍ରୁଣ ହତ୍ୟାକୁ କିଛି ମାତ୍ରାରେ ରୋକାଯାଇ ଥିଲେ ମଧ୍ୟ ଜନ୍ମିତ ଶିଶୁ କନ୍ୟା ଆଜି ବି ଅଲୋଡ଼ା ହୋଇ କେଉଁଠି ରାସ୍ତା କଡ଼ରେ ତ କେଉଁଠି ବୁଦା ମୂଳରେ ପ୍ରାଣ ତ୍ୟାଗୁଛି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋରେଇ ବ୍ଲକ୍‌ ଅନ୍ତର୍ଗତ ପଛିକୋଟ ପଞ୍ଚାୟତର ଲକ୍ଷ୍ମୀନଗର ଅଞ୍ଚଳରେ । କରୋନା ଲକ୍‌ଡାଉନ୍‌ ସମୟରେ ସମସ୍ତେ ଗୃହ ବନ୍ଦୀ ଥିବା ବେଳେ କେହି ଜଣେ ନବଜାତ ନିଷ୍ପାପ ଶିଶୁକନ୍ୟାକୁ ଗାଁ ନିକଟସ୍ଥ ମଶାଣି ପଡ଼ିଆରେ ଫିଙ୍ଗି ଦେଇ ଚାଲି ଯାଇଛି ।

ସ୍ଥାନୀୟ ପିଲା ମୃତ ଶିଶୁକୁ ଦେଖିବା ପରେ ଖବର ତୀବ୍ର ବେଗରେ ସବୁଠି ଖେଳି ଯାଇଥିଲା । ଖବର ପହଞ୍ଚି ଥିଲା କୋରେଇ ଥାନାରେ । ଥାନା ଏସ୍‌ଆଇ ସୁବ୍ରତ ସାହୁ ଘଟଣାସ୍ଥଳରେ ପହଞ୍ଚି ଦାନଗଦୀ ମେଡିକାଲ୍‌କୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ରିପୋର୍ଟକୁ ଅପେକ୍ଷା କରିଛି ।

୍ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବା ପରେ ସତ୍କାର କରାଯିବ । ସରକାରୀ ପଲିଟେକନିକ୍ ସମ୍ମୁଖ ଗାଁ ମଶାଣୀ ପଡ଼ିଆରେ ପଡ଼ିଥିବା ଶିଶୁ କନ୍ୟାକୁ କିଏ ପକାଇଲା, ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଶିଶୁ କନ୍ୟାଟି ସ୍ଥାନୀୟ ଅଞ୍ଚଳର ନା ଅନ୍ୟ କେଉଁ ଅଞ୍ଚଳରୁ ଆସି ଏଠାରେ ପକାଇ ଦେଇ ପଳାଇଛି, ତାହାର ଖୋଜଖବର ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.