ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲା, ଏସଡିଜେଏମ କୋର୍ଟରେ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ

ପୁରୀ(କେନ୍ୟୁଜ୍):ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣାଯିବ । ଅଧିକ ତଥ୍ୟ ହାସଲ ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ । ପୁରୀ ଏସଡିଜେଏମ କୋର୍ଟରେ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ । ପୁରୀ ଏସ୍‌ପି ଉମାଶଙ୍କର ଦାଶ ଏନେଇ ସୂଚନା ଦେଇଛନ୍ତି। ଜେରା ପରେ ମାମଲାର ଚାର୍ଜସିଟ ପ୍ରସ୍ତୁତ ହେବ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ପୀଡ଼ିତାଙ୍କୁ ଏବେ କାଉନସେଲିଂ କରାଯାଉଛି । ତାଙ୍କ ଇଚ୍ଛା ମୁତାବକ ଖୁ ଶୀଘ୍ର ତାଙ୍କୁ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଏସପି କହିଛନ୍ତି । ଗତ ସୋମବାର ଦିନ ନାବଳିକା ଜଣଙ୍କ ନିମାପଡ଼ାରୁ କୋଣାର୍କ ଯିବାର ଥିଲା । ତାଙ୍କୁ ଲିଫ୍ଟ ଦେବାକୁ କହି ଅଭିଯୁକ୍ତମାନେ ପୁରୀ ଆଣି ପୋଲିସ କ୍ୱାର୍ଟର୍ସରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତା ପୁରୀ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗର ମାତ୍ର କେଇ ଘଣ୍ଟା ଭିତରେ ବହିଷ୍କୃତ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଓ ଅନ୍ୟଜଣେ ସହଯୋଗୀ ରାଜେଶ ସେଠୀଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

 

Leave A Reply

Your email address will not be published.