ଶ୍ୱାସରୁଦ୍ଧ ହୋଇ ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଛି, ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ୱର ଶାସ୍ତ୍ରୀନଗରରେ ମୃତ ଶୁଭଶ୍ରୀ ମହାପାତ୍ରଙ୍କର ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି । ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଓଢଣୀ ଭଳି କୌଣସି ସୂକ୍ଷ୍ମ କପଡ଼ାରେ ଶ୍ୱାସ ରୁଦ୍ଧ ହୋଇଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍‌ପିଟାଲ ନିର୍ଦ୍ଦେଶକ । ତେବେ ଶୁଭଶ୍ରୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ସେନେଇ ବଢିଛି ସସପେନ୍ସ । ତେବେ ମୃତ୍ୟୁ ପୂର୍ବରୁ ଶୁଭଶ୍ରୀ କୌଣସି ବିଷାକ୍ତ ଖାଦ୍ୟ ଖାଇଥିଲେ କି ନାହିଁ ଯାଞ୍ଚ ପାଇଁ ରାଜ୍ୟ ଫରେନ୍‌ସିକ୍‌ ଲାବ୍‌କୁ ନମୁନା ପଠାଯାଇଛି ।

ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହରେ ତଦନ୍ତ ଚଳାଇଛି ଖାରବେଳନଗର ଥାନା ପୋଲିସ । ଶୁଭଶ୍ରୀଙ୍କ ସିଡିଆର୍‌ ଅନୁଧ୍ୟାନ ପରେ ସାମନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ । ନୟାଗଡ଼ରୁ ଜଣେ ଯୁବକଙ୍କୁ ଉଠାଇ ଆଣି ପଚରାଉଚରା କରିଛି ପୋଲିସ । ଖୁବଶୀଘ୍ର ସେ ଗିରଫ ହୋଇପାରନ୍ତି । ତାଙ୍କୁ ନେଇ ପୋଲିସ ସ୍ପଟ୍‌ ଭେରିଫିକେସନ୍‌ କରିପାରେ ପୋଲିସ । ଗତ ମଙ୍ଗଳବାର ଦିନ ମୃତ୍ୟୁ ପୂର୍ବରୁ ଶେଷ ଥର ପାଇଁ ଫୋନରେ ସଂପୃକ୍ତ ଯୁବକଙ୍କ ସହ ଫୋନରେ କଥା ହୋଇଥିଲେ ଶୁଭଶ୍ରୀ । ସେଦିନ ସନ୍ଧ୍ୟା ସାଢ଼େ ୬ଟାରୁ ୬ଟା ୪୯ ମଧ୍ୟରେ ନୟାଗଡ଼ର ଯୁବକଙ୍କୁ ଶୁଭଶ୍ରୀ ବାରମ୍ବାର କଲ କରିଥିଲେ । ପୂର୍ବରୁ ବାରମ୍ବାର ସଂପୃକ୍ତ ଯୁବକ ତାଙ୍କ ଘରକୁ ଆସୁଥିଲା ବୋଲି ସୂଚନା ଦେଇଛନ୍ତି ଶୁଭଶ୍ରୀଙ୍କ ସ୍ୱାମୀ । ଶୁଭଶ୍ରୀଙ୍କ ସ୍ୱାମୀ ଓ ତାଙ୍କ ସାଙ୍ଗଙ୍କୁ ମଧ୍ୟ ପଚରା ଉଚରା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.