ହାଇକୋର୍ଟରେ ପ୍ରଦୀପ ସେଠୀଙ୍କ ହବିଅସ୍‌ କର୍ପସ ମାମଲା, ଜବାବ ଦାଖଲ ପାଇଁ ସମୟ ନେଲେ ରାଜ୍ୟ ସରକାର

କେନ୍ୟୁଜ (ବ୍ୟୁରୋ): ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ଜବାବ ଦାଖଲ ପାଇଁ ସମୟ ନେଲେ ରାଜ୍ୟ ସରକାର। ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ସିବିଆଇ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀ। ବର୍ତ୍ତମାନ ସୁଦ୍ଧା ୭ବର୍ଷରୁ ଅଧିକ ସମୟ ଜେଲରେ କଟାଇ ସାରିଥିବାରୁ ହାଇକୋର୍ଟରେ ଏକ ହବିଅସ୍‌ କର୍ପସ ମାମଲା ଦାୟର କରିଥିଲା। ଏହି ମାମଲାରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାର ସମୟ ନେଇଛନ୍ତି।

ଆସନ୍ତା ୧୨ ତାରିଖ ସୁଦ୍ଧା ରାଜ୍ୟ ସରକାର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ୨୦୧୩ ମସିହା ମେ ୧୩ ତାରିଖରେ ପ୍ରଦୀପ ସେଠୀ ଗିରଫ ହୋଇଥିଲେ। ୨୦୧୪ ମସିହାରେ ସୁପ୍ରିମକୋର୍ଟ ଚିଟଫଣ୍ଡ ମାମଲାର ଶୁଣାଣି କରି ଓଡିଶାରେ ଅର୍ଥତତ୍ତ୍ୱ ତଥା ଅନ୍ୟ ଚିଟଫଣ୍ଡ ଦୁର୍ନୀତିର ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଓଡିଶା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ଓଡିଶା ପୋଲିସ ଠାରୁ ୮ଟି ମାମଲା ସିବିଆଇକୁ ହସ୍ତାନ୍ତର ହୋଇଥିଲା। ୨୦୧୭ ମସିହାରେ ସିବିଆଇ କୋର୍ଟରେ ଏହି ମାମଲାର ଶୁଣାଣି ବେଳେ ପ୍ରଦୀପ ସେଠୀ ନିଜର ଦୋଷ ସ୍ୱୀକାର କରିଥିଲେ।

ସିବିଆଇ କୋର୍ଟ ତାଙ୍କୁ ୭ ବର୍ଷ କାରାଦଣ୍ଡର ରାୟ ଦେଇଥିଲେ। କିନ୍ତୁ ତାଙ୍କ ନାମରେ ଓଡିଶାର ବିଭିନ୍ନ ସ୍ଥାନରେ ଆହୁରି ମାମଲା ରହିଥିବା ଦର୍ଶାଇ ତାଙ୍କୁ ଜେଲରୁ ଖଲାସ କରାଯାଉ ନଥିବା ସେ ଅଭିଯୋଗ ଆଣିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ତାଙ୍କ ନାମରେ ଥିବା ୨୪ଟି ଯାକ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବା କଥା। କିନ୍ତୁ ମାତ୍ର ୮ଟି ମାମଲା ହସ୍ତାନ୍ତର କରାଯାଇଥିଲା। ଅନ୍ୟ ମାମଲା କାହିଁକି ହସ୍ତାନ୍ତର କରାଗଲା ନାହିଁ ବୋଲି ସେ ଅଦାଲତରେ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ସରକାର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।