ଘର ଭିତରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

ଯୋଡା(କେନ୍ଯୁଜ୍): ଘର ଭିତରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ । ସ୍ୱାମୀ ଥାନାରେ ଅଟକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ରୂପା ସାହିରେ । ଗ୍ରାମର ସୁରୁ କାରୁଆଙ୍କ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା ଏବଂ ଏନେଇ ସେମାନେ ଯୋଡ଼ା ପୋଲିସକୁ ସୂଚନା ଦେଇଥିଲେ । ଯୋଡ଼ା ପୋଲିସ୍ ସେଠାରେ ପହଁଚିବା ପରେ ଜଣାପଡ଼ିଥିଲା ଯେ, ଘର ଭିତରେ ସୁରୁ କାରୁଆଙ୍କ ବୋହୁ ସୁନୀତା କାରୁଆଙ୍କ ମୃତଦେହ ପଡ଼ି ରହିଛି ଏବଂ ସେଥିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଛି।

୩/୪ ଦିନ ପୂର୍ବେ ସୁନୀତାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରୁଛି ପୋଲିସ୍ । ଗତକାଲି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମୃତକର ସ୍ୱାମୀ ସୁରେନ୍ କାରୁଆକୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି। ତେବେ କେଉଁ ପରିସ୍ଥିତିରେ ସୁନୀତାଙ୍କର ମୃତ୍ୟୁ ଘଟିଲା ଏବଂ ଏହା ହତ୍ୟାକାଣ୍ଡ ନା ଆଉ କିଛି କାରଣ ରହିଛି ସେନେଇ ଖୋଳତାଡ଼ ଚଳାଇଛି ପୋଲିସ୍ ।

ସୂଚନା ଅନୁଯାୟୀ, ସୁରେନଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ସୁନୀତାଙ୍କୁ ବିବାହ କରିଥିଲେ। ସେ, ତାଙ୍କ ବାପା ଓ ପତ୍ନୀଙ୍କ ସହିତ ଏହି ଘରେ ରହି ଆସୁଥିଲେ । ସେପଟେ ବାପା ସୁରୁଙ୍କ କହିବା ଅନୁଯାୟୀ, ପୁଅ ଅଧିକାଂଶ ସମୟରେ ମଦ୍ୟ ପାନ କରେ। ଯାହା ଫଳରେ ଉଭୟଙ୍କ ଭିତରେ ଯୁକ୍ତିତର୍କ ଏବଂ ମାଡ଼ପିଟ ହୋଇଥାଏ । ତେବେ ସୁନୀତାଙ୍କ ମୃତ୍ୟୁ କିପରି ଘଟିଲା ତାହା ସେ ଜାଣିନାହାନ୍ତି ବୋଲି କହିଛନ୍ତି ।

ସେପଟେ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇପାରିବ ବୋଲି କହିଛି ପୋଲିସ୍ ।