ସମୁଦ୍ର ମଝିରେ ୨ ପିଲାଙ୍କ ସହ ୪ ଦିନ ଯାଏଁ ଫସିରହିଥିଲେ ମା’, ନିଜ ପରିସ୍ରା ପିଇ ପିଲାଙ୍କୁ କରାଇଥିଲେ ସ୍ତନ୍ୟପାନ
ଜଣେ ମା’ ନିଜ ସନ୍ତାନ ପାଇଁ କିଛି ବି କରିପାରେ। ଯେକୌଣସି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ମା’ ଛୁଆର ଜୀବନକୁ ବଞ୍ଚାଇଥାଏ। ଏବେ ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଦକ୍ଷିଣ ଆମେରିକାରେ। ଏଠାରେ ଜଣେ ମା’ ସମୁଦ୍ର ମଝିରେ ନିଜେ ଅଖିଆ ଅପିଆ ରହି ମଧ୍ୟ ଛୁଆଙ୍କୁ ସ୍ତନ୍ୟପାନ କରାଇ ସେମାନଙ୍କ ଜୀବନ ବଞ୍ଚାଇ ଦେବା ଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହା ପୁଣିଥରେ ପ୍ରମାଣ କରିଦେଇଛି ଯେ ମା’ ହିଁ ହେଉଛି ଦୁନିଆର ସବୁଠୁ ଶ୍ରେଷ୍ଠ ଯୋଦ୍ଧା।
ରିପୋର୍ଟ ମୁତାବକ, ସେପ୍ଟେମ୍ବର ୩ରେ ଏକ ପାଣି ଜାହାଜ ଭେନେଜୁଏଲାରୁ ଲା ଟର୍ଟୁଗା ଯାଉଥିଲା। ଏଥିରେ ୯ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରେ ମାରଲି ଚାକୋନ୍ ନାମ୍ନୀ ୪୦ ବର୍ଷିୟା ମହିଳା, ତାଙ୍କ ସ୍ୱାମୀ, ୬ ବର୍ଷର ପୁଅ, ୨ ବର୍ଷର ଝିଅ ଥିଲେ। ସେମାନଙ୍କ ସହ ଛୁଆଙ୍କ ୨୫ ବର୍ଷିୟା କେୟାର ଟେକର ଭେରୋନିକା ଓ ସିପ୍ର କ୍ରୁ ମେମ୍ବର ଥିଲେ। ତେବେ ମଝି ସମୁଦ୍ରରେ ସେମାନଙ୍କ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ଫାଳ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଦୁଇ ପିଲା, ମା’ ଓ କେୟାର ଟେକର ବଞ୍ଚିଯାଇଥିଲେ। ସେମାନେ ୪ ଦିନ ଧରି ମଝି ସମୁଦ୍ରରେ ବେସାହାରା ହୋଇ ଭାସୁଥିଲେ। ମା’ ନିଜ ଛୁଆକୁ ଯେକୌଣସି ପରିସ୍ଥିତିରେ ବି ଜୀବିତ ରଖିବାକୁ ଚାହିଁଥିଲେ। ଏଣୁ ସେ ୪ ଦିନ ଧରି ନିଜ ପରିସ୍ରା ପିଇ ରହିଥିଲେ। ଫଳରେ ତାଙ୍କ ଶରୀରରେ ଜଳୀୟାଂଶ ଅଭାବ ହେବନି ଓ ପିଲାଙ୍କୁ ସ୍ତନ୍ୟପାନ କରାଇପାରିବେ। କିନ୍ତୁ ୪ ଦିନ ପରେ ସେମାନଙ୍କ ପାଖରେ ରେସକ୍ୟୁ ଟିମ୍ ପହଞ୍ଚିବା ବେଳକୁ ମା’ଙ୍କ ଜୀବନ ଚାଲିଯାଇଥିଲା। କିନ୍ତୁ ଦୁଇ ପିଲା ଜୀବିତ ଥିଲେ। ସେମାନଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିଲା।
Después del Amor de dios, el amor más grande que existe, es el amor de madre.
Marielys Chacón es la materialización de lo que toda madre asegura cuando dice que es capaz de dar la vida por sus hijos.#MarielyChacon #amordemadre pic.twitter.com/wiYzL02FXY— NINOSKA LG (@NINOSKALG) September 13, 2021
ରେସକ୍ୟୁ ଟିମ୍ କହିଛି ଯେ ସେମାନେ ପହଞ୍ଚିବାର କିଛି ସମୟ ପୂର୍ବରୁ ହିଁ ଜଳୀୟାଂଶ ଅଭାବରୁ ମା’ଙ୍କ ମୃତ୍ୟୁ ହୋଇସାରିଥିଲା। ଭୀଷଣ ଗରମ ଯୋଗୁ କେୟାର ଟେକର ଓ ଦୁଇ ପିଲାଙ୍କର ମଧ୍ୟ ଡିହାଇଡ୍ରେସନ୍ ହୋଇଥିଲା। କେୟାର ଟେକର ନିଜ ଜୀବନ ବଞ୍ଚାଇବାକୁ ଫ୍ରିଜ ଭିତରେ ପଶିଯାଇଥିଲେ। କିନ୍ତୁ ଛୁଆ ଦୁଇ ଜଣ ମା’ ପାଖରେ ହିଁ ଅଚେତ ଅବସ୍ଥାରେ ପଡ଼ିଥିଲେ। ତେବେ ବର୍ତ୍ତମାନ ସମସ୍ତେ ହସ୍ପିଟାଲରେ ଆଡମିଟ୍ ଅଛନ୍ତି। କିନ୍ତୁ ଅନ୍ୟ ୫ ଜଣ ସଦସ୍ୟ କେଉଁଠି ଓ କେମିତି ଅଛନ୍ତି ସେ ନେଇ ଏବେ ଯାଏଁ ଜଣାପଡ଼ିନାହିଁ। ଉଦ୍ଧାରକାରୀ ଦଳ ସେମାନଙ୍କୁ ଖୋଜୁଥିବା ଜଣାଯାଇଛି।