ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥଖଳାରୁ ସିଂହଦ୍ୱାର ଯାଏ ଟଣାଯିବ ୩ ରଥ

ପୁରୀ(କେନ୍ୟୁଜ୍): ଆସନ୍ତାକାଲି ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତିନି ରଥର ନିର୍ମାଣ କାର୍ଯ୍ୟ ସରିଛି। ଆଜି ଦିନ ୧୧ଟାରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥଖଳାରୁ ୩ ରଥକୁ ଶ୍ରୀମନ୍ଦିର ସିଂହଦ୍ୱାର ଯାଏ ଟଣାଯିବ । ଗୋପାଳବଲ୍ଲଭ ଭୋଗପରେ ୩ ରଥକୁ ଆଜ୍ଞାମାଳ ବିଜେ କରାଯିବ। ଏହାପରେ ରଥଗୁଡିକୁ ରଥଖଳାରୁ ଟଣାଯାଇ ସିଂହଦ୍ୱାର ନିକଟକୁ ଅଣାଯିବ। ଚଳିତବର୍ଷ ନବଯୌବନ ବେଶ ପରଦିନ ରଥଯାତ୍ରା ନହୋଇ ଗୋଟିଏ ଦିନ କ୍ଷୟ ରହିଥିବାରୁ ଆଜି ଉଭାଯାତ୍ରା ଅନୁଷ୍ଠିତ ହେଉଛି। ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ରଥଯାତ୍ରାରେ ପୁରୀରେ ୧୫୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ସ୍ଥଳ, ଜଳ ଓ ଆକାଶ ମାର୍ଗରୁ ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯିବ। ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ପାଇଁ ପୁରୀରେ ଲାଗୁ ହେବ ସ୍ୱତନ୍ତ୍ର ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା।

srimandirଟ୍ରାଫିକ ପରିଚାଳନା ନେଇ ପୁରୀ ସହରକୁ ୧୦ଟି ଜୋନ୍‌ ଓ ୧୯ଟି ସେଣ୍ଟରରେ ଭାଗ କରାଯାଇଛି। କଟକ ଓ ଭୁବନେଶ୍ୱର ପଟରୁ ଆସୁଥିବା ତିନି ଓ ଚାରି ଚକିଆ ଗାଡ଼ି ମାଳତୀପାଟପୁରରେ ରହିବେ । ଦୁଇ ଚକିଆ ଗାଡ଼ି ସବୁ ବାଟଗାଁ ଡେଇଁବେ ନାହିଁ। ଯାତ୍ରୀଙ୍କ ପାଇଁ ମାଳତିପାଟପୁରରୁ ୨୫ଟି ଟାଉନ୍‌ ବସ୍‌ ବ୍ୟବସ୍ଥା ହୋଇଛି। ବ୍ରହ୍ମଗିରି ପଟରୁ ଆସୁଥିବା ବସ୍‌ ଓ ଚାରି ଚକିଆ ଯାନ ମଙ୍ଗଳାଘାଟ ନିକଟରେ ରହିବେ। କୋଣାର୍କରୁ ଆସୁଥିବା ଦୁଇ ଓ ଚାରି ଚକିଆ ଗାଡ଼ି ପାର୍କିଂ କରିବେ ତାଳବଣିଆରେ। ଟୁରିଷ୍ଟ ବସ୍‌ ସବୁ ମାଳତିପାଟପୁରରେ ପାର୍କିଂ କରିବେ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରତି ଜୋନ୍‌ ଓ ସେଣ୍ଟର ଦାୟିତ୍ୱରେ ରହିବେ ବରିଷ୍ଠ ପୋଲିସ ଅଧିକାରୀ। ପୁରୀ ଟାଉନ୍‌ ଥାନାରେ କାମ କରିବ ଇଣ୍ଟିଗ୍ରେଟେଡ୍‌ କଣ୍ଟ୍ରୋଲ୍‌ ରୁମ୍‌। ରଥଯାତ୍ରା ସୁରକ୍ଷା ନେଇ ଗତକାଲି ପୁରୀରେ ମକଡ୍ରିଲ୍‌ କରାଯାଇଥିଲା। ଗତକାଲି ପବିତ୍ର ନେତ୍ରୋତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.