ଆଜି ଓଡିଶା ଆସୁଛନ୍ତି ମହାମହିମ, ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ୩୬ ପ୍ଲାଟୁନ ପୋଲିସ

ତିନିଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜଭବନ ଯାଇ ରାତ୍ରିଯାପନ କରିବେ । ଆସନ୍ତାକାଲି କଟକରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି।

ଭୁବନେଶ୍ୱର (କେନ୍ୟୁଜ): ଆଜି ଆସୁଛନ୍ତି ମହାମହିମ। ତିନିଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜଭବନ ଯାଇ ରାତ୍ରିଯାପନ କରିବେ । ଆସନ୍ତାକାଲି କଟକରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଚଣ୍ଡୀ ମନ୍ଦିର, ମଧୁସୂଦନ ସଂଗ୍ରହାଳୟ, ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ବୁଲି ଦେଖିବେ ମହାମହିମ। ଓଡ଼ିଶା ହାଇକୋର୍ଟଙ୍କ ୭୫ତମ ପ୍ରତିଷ୍ଠା ପୂର୍ତ୍ତି ପାଳନ ଅବସରରେ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି। ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବ ଓ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏଥିପାଇଁ ଜିଲ୍ଲା ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ତ୍ରୁଟିଶୂନ୍ୟ କରିବା ଉପରେ ବିଶେଷ ଧ୍ୟାନ ଦେଇଛି କଟକ କମିସନରେଟ ପୋଲିସ। ରାଷ୍ଟ୍ରପତିଙ୍କ ସୁରକ୍ଷା ଦୟିତ୍ୱରେ ରହିବେ ୧୨ ଜଣ ଅତିରିକ୍ତ ଡିସିପି, ୨୫ ଜଣ ଏସିପି, ୪୦ ଜଣ ଇନ୍ସପେକ୍ଟର, ୧୨୦ ସବଇନ୍ସପେକ୍ଟର ଓ ଏଏସଆଇ। ନିୟୋଜିତ ହେବେ ୩୬ ପ୍ଲାଟୁନ ପୋଲିସ। ଏହାସହ ୩ଟି କୁଇକ ରେସ୍‌ପନ୍‌ସ ଟିମ, ୨ଟି ଟାକ୍ଟିକାଲ ୟୁନିଟ ମଧ୍ୟ ରହିବ । ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କର ଏହା ତୃତୀୟ ଓଡ଼ିଶା ଗସ୍ତ। ଫେବୃଆରୀ ୧୦ ଓ ୧୧ ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶା ଆସି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।