Below header

ଜନ୍ମମାଟିକୁ ଆସୁଛନ୍ତି ରାଷ୍ଟ୍ରପତି: ସ୍ୱାଗତ ପାଇଁ ଚାଲିଛି ବିରାଟ ପ୍ରସ୍ତୁତି, ବଦଳୁଛି ଗାଁର ରୂପରେଖ

ଦୁଇ ଦିନ ପରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ନିଜ ଜନ୍ମମାଟି ଯିବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତରୁ ନେଇ ତାଙ୍କ ଗାଁ ପାହାଡପୁରଠାରୁ ଆରମ୍ଭ କରି ବାରିପଦା ସମେତ ସାରା ମୟୂରଭଞ୍ଜ ଚଳଚଞ୍ଚଳ ।

ମୟୂରଭଞ୍ଜ (କେନ୍ୟୁଜ): ଦୁଇ ଦିନ ପରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ନିଜ ଜନ୍ମମାଟି ଯିବେ ମହାମହିମ । ତାଙ୍କୁ ସ୍ୱାଗତ କରିବା ପାଇଁ ବିରାଟ ପ୍ରସ୍ତୁତି ଚାଲିଛି । ରାଷ୍ଟ୍ରପତିଙ୍କ ଗସ୍ତରୁ ନେଇ ତାଙ୍କ ଗାଁ ପାହାଡପୁରଠାରୁ ଆରମ୍ଭ କରି ବାରିପଦା ସମେତ ସାରା ମୟୂରଭଞ୍ଜ ଚଳଚଞ୍ଚଳ । ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା, ଅସ୍ଥାୟୀ ହେଲିପ୍ୟାଡ୍‌ ନିର୍ମାଣ କାମ ଚାଲିଛି । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ତୃତୀୟ ଓଡ଼ିଶା ଗସ୍ତ ହେବ ।

ସେହିପରି ନିଜ ଜିଲ୍ଲା ତଥା ଜନ୍ମମାଟିକୁ ପ୍ରଥମ ଗସ୍ତ । ମାଟିର ଝିଅକୁ ସ୍ୱାଗତ କରିବା ପାଇଁ ସମସ୍ତେ ଉତ୍ସାହିତ । ୪ ତାରିଖରେ ବାଦାମପାହଡ ହେଲିପ୍ୟାଡରେ ପହଞ୍ଚିବା ପରେ ଏସଏଲଏସ ସ୍ମାରକୀ ସ୍କୁଲ ପାହାଡପୁର ଯିବେ ରାଷ୍ଟ୍ରପତି । ସେଠାରେ ମହାମହିମଙ୍କୁ ବସାଇବା ପାଇଁ କାଠର ନୂଆ ଚୌକି ତିଆରି କରାଯାଇଛି । ଗସ୍ତ ସମୟରେ ରାଷ୍ଟ୍ରପତି ଅଲ୍‌ ଇତୁନ ଆସଳା ସାନ୍ତାଳୀ ସ୍କୁଲ ପରିଦର୍ଶନ କରିବା ସହ ରାଇରଙ୍ଗପୁର ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ମ୍ୟୁନିସପାଲିଟି କାର୍ଯ୍ୟାଳୟ ଓ ପରିଶେଷରେ ରାଇରଙ୍ଗପୁର ଷ୍ଟାଡିୟମର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ ।

୫ ତାରିଖ ଦିନ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିସ୍ଥଳ ଦାଣ୍ଡବୋଷ ପରିଦର୍ଶନ ପରେ ଶିମିଳିପାଳ ଜାତୀୟ ଉଦ୍ୟାନ ପରିଭ୍ରମଣ କରିବେ । ଗସ୍ତର ତୃତୀୟ ଦିନ ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ କିଭଳି କୌଣସି ତ୍ରୁଟି ନହୁଏ ସେଥିପ୍ରତି ପ୍ରାଶାସନିକ ଅଧିକାରୀମାନେ ମଧ୍ୟ ତଦାରଖ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.