ଯେଉଁ ମହାବିଦ୍ୟାଳୟର ଛାତ୍ରୀ ଥିଲେ ଆଜି ସେଠି ମୁଖ୍ୟଅତିଥି ଭାବେ ଯୋଗ ଦେଲି, ଭାବବିହ୍ବଳ ହେଲେ ରାଷ୍ଟ୍ରପତି

କେନ୍ୟୁଜ୍(ବ୍ୟୁରୋ): ରମାଦେବୀ ବିଶ୍ୱବିଦ୍ୟାଳୟରେ ଭାବବିହ୍ଵଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ ବେଳେ ୪୦/ ୪୨ ବର୍ଷ ତଳର ରମାଦେବୀର କାନ୍ଥ ମୁକସାକ୍ଷୀ ହୋଇ ମୋତେ ସ୍ୱାଗତ କରୁଥିବା ଅନୁଭବ ହେଉଛି ବୋଲି କହିଛନ୍ତି ମହାମହିମ। ଶ୍ରଦ୍ଧାରେ ଏହି ବିଦ୍ୟାଳୟ ତାଙ୍କୁ ଟାଣିଆଣିଛି। ଏହା ଏମିତି ଏକ ମହାବିଦ୍ୟାଳୟ ଥିଲା ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗରିବ ଚାଷୀର ଝିଅ ଏକାଠି ପଢିପାରୁଥିଲେ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ନିଜ ଭିତରେ କୌଣସି ଭେଦ ଭାବ ନଥିଲା, ମନରେ ଉଦ୍ଦୀପନା ସୃଷ୍ଟି କରୁଥିଲା, ନୂଆ ମହକ ସୃଷ୍ଟି କରୁଥିଲା। ଏପରିକି ତାଙ୍କ ପିଲାମାନେ ମଧ୍ୟ ରମାଦେବୀ ବିଶ୍ୱବିଦ୍ୟାଳୟକୁ ଦେଖାଇ ତାଙ୍କ ସ୍ମୃତିଚାରଣ କରୁଥିଲେ ବୋଲି ଦୀକ୍ଷାନ୍ତ ଭାଷଣରେ କହିବାକୁ ଭୁଲିନଥିଲେ ରାଷ୍ଟ୍ରପତି। ରାଜ୍ୟପାଳ ଥିବା ବେଳେ ଦୁଇ ଦୁଇଥର ରମାଦେବୀ ବିଶ୍ୱବିଦ୍ୟାଳୟ ଆସିଥିବା ମଧ୍ୟ ଉଲ୍ଲେଖ କରିଛନ୍ତି। ଦିନେ ଯେଉଁ ମହାବିଦ୍ୟାଳୟର ଛାତ୍ରୀ ଥିଲେ ଆଜି ସେଠି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭାବପ୍ରବଣ ହୋଇପଡ଼ିଥିଲେ।

 ୧୯୭୫ରୁ ୧୯୭୯ ପର୍ଯ୍ୟନ୍ତ ରମାଦେବୀରେ କଳାରେ ସ୍ନାତକ ପଢ଼ିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ହଷ୍ଟେଲରେ ରହିଥିଲେ। ଆଜିର ସମାବର୍ତ୍ତନ ଉତ୍ସବରେ ନିଜ ସହପାଠିନୀଙ୍କୁ ଭେଟିଥିଲେ ଦେଶର ପ୍ରଥମ ନାଗରିକ। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଥିପାଇଁ ରାଷ୍ଟ୍ରପତିଙ୍କ ୩୦ ଜଣ ସହପାଠିନୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସହପାଠିନୀଙ୍କୁ ଦେଶର ରାଷ୍ଟ୍ରପତି ଭାବେ ପାଇ ସେମାନେ ଅତି ଆନନ୍ଦ ପ୍ରକାଶ କରିଛନ୍ତି। ପୂର୍ବରୁ ମଧ୍ୟ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପାଇଁ ସେମାନେ ରାଷ୍ଟ୍ରପତି ଭବନରେ ତାଙ୍କୁ ସାକ୍ଷାତ କରିଥିଲେ। ମହାମହିମଙ୍କୁ ଭେଟିବା ତାଙ୍କ ପାଇଁ ଗୌରବର କଥା ବୋଲି କହିଛନ୍ତି ତାଙ୍କ ସହପାଠିନୀ।

ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୪ଜଣଙ୍କୁ ସମ୍ମାନସୂଚକ ଉପାଧି, ୨୨ଜଣଙ୍କୁ ସ୍ୱର୍ଣ୍ଣପ୍ରଦକ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟର ପ୍ରବେଶ ପଥରୁ ପ୍ରେକ୍ଷାଳୟ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସମାବର୍ତ୍ତନ ଉତ୍ସବରେ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ଓ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ।।

ଆଜି ସକାଳ ୧୧ଟା ୪୦ରେ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମୁଖ୍ୟ ସଚିବ, ଡିଜିପି ପ୍ରମୁଖ ଉପସ୍ଥିତ ରହି ମଧ୍ୟ ସ୍ୱାଗତ ଜଣାଇଥିଲେ। ସେଠାରୁ ସିଧାସଳଖ ଉତ୍କଳ ମଣ୍ଡପ ଯାଇ ଜ୍ଞାନପ୍ରଭା ମିସନର ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ। ଆଜି ରାତିରେ ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ଲିଙ୍ଗରାଜ ମନ୍ଦିରରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ। ପରେ କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ- NRRIରେ ଦ୍ୱିତୀୟ ରାଇସ କଂଗ୍ରେସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରୁ ଫେରି ଅପରାହ୍‌ଣ ଦିନ ୩ଟା ୧୫ରେ ସ୍ୱତନ୍ତ୍ର ବିମାନରେ ପୁଣି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.