Below header

ଧରାକୋଟ ରାଜକନ୍ଯାଙ୍କର ରାଜକୀୟ ସେବା

ରାଜା ଶାସନ ଯାଇଛି । ପ୍ରତିଷ୍ଠା ହୋଇଛି ଗଣତନ୍ତ୍ର, ତଥାପି ଏବେ ବି’ ଲୋକେ ରାଜାଙ୍କୁ ସମ୍ମାନ ଦିଅନ୍ତି ଏହା ସହ ଭକ୍ତି ମଧ୍ୟ କରନ୍ତି । ଅମେ ଆପଣଙ୍କୁ କହୁଛୁ ଗଂଜାମ ଜିଲ୍ଲା ଧରାକୋଟ ରାଜାଙ୍କ କଥା । ଆଜି ଆଉ ନାହିଁ ସେହି ଧରାକୋଟ ସହର, ନାହିଁ ମଧ୍ୟ ସେଇ ଅତୀତ କାଳର ରାଜ ଶାସନ । ହେଲେ ଏବେ ବି’ ବଂଚି ରହିଛି ଏଠିକାର ପରମ୍ପରା ଏବଂ ଏହି ପରମ୍ପରାକୁ ବଂଚାଇ ରଖିବା ପାଇଁ ଧରାକୋଟ ରାଜା ପିନ୍ଧନ୍ତି ରାଜ ମୁକୁଟ ।

ରାଜ କନ୍ୟା ସୁଲକ୍ଷଣା ଗିତାଞ୍ଜଳି ଦେବୀ ଗୁଣ୍ଡିଚା ଯାତ୍ରା ଏବଂ ବାହୁଡା ଯାତ୍ରାରେ ରଥ ଉପରେ ଛେରାପହଁରା କରିଆସୁଥିବା ବେଳେ, ବଡ ଏକାଦଶୀ ଦିନ ରଥ ଉପରେ ବସି ଲୋକଙ୍କୁ ରାଜା ବେଶରେ ରାଜ ମୁକୁଟ ପିନ୍ଧି ଦର୍ଶନ ଦେଇଥାନ୍ତି । ଏହା ପରେ ରଥା ଟଣା କାର୍ୟ୍ୟକ୍ରମ ଆରମ୍ଭ କରାଯାଇଥାଏ । ଏହି ସମୟରେ ହଜାର ହଜାର ଲୋକ ହୁଳହୁଳି ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥାନ୍ତି ।

ଧରାକୋଟ ରାଜା ତଥା ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ସିଂଦେଓଙ୍କର ପୁତ୍ର ନଥିବା ବେଳେ  ଅଛନ୍ତି ଦୁଇଟି  ଝିଅ । ବଡ ଝିଅ ଗୀତାଞ୍ଜଳି ଦେବୀ, ସାନ ଝିଅ ଶାନ୍ତିପ୍ରିୟା। ରାଜା କିଶୋର ଚନ୍ଦ୍ର ସିଂଦେଓଙ୍କ ଦେହାନ୍ତ ପରେ ରାଜ ମୁକୁଟ କିଏ ପିନ୍ଧିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ଗୀତାଞ୍ଜଳିଙ୍କର ରାଜ୍ୟାଭିଷେକ କରାଯାଇଥିଲା ।

୨୦୧୦ ମସିହାରେ ପିତା କିଶୋର ଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ଗୀତାଞ୍ଜଳି ବର୍ଷ ତମାମ୍ ରାଜପ୍ରାସାଦର ରାଜା ରୂପେ ସମସ୍ତ ପୂଜା ବିଧିରେ ଯୋଗଦେଇଥିବା ବେଳେ ହୋମ ଯଜ୍ଞରେ ମଧ୍ୟ ସାମିଲ୍ ହୋଇଛନ୍ତି । ୨୫ ବର୍ଷ ବୟସରେ ପାଦଥାପି ଥିବା ଗୀତାଞ୍ଜଳି ଏବେ ଭୁବନେଶ୍ବରରେ ଥିବା କିଟ କଲେଜରେ ଅଧୟନରତ ।

ଗୀତାଞ୍ଜଳି, ରାଜା ବେଶରେ ଲୋକଙ୍କୁ ଦର୍ଶନ ଦେବା ବେଳେ ଅତ୍ୟନ୍ତ ଆବେଗମୟ ପରିବେଶ ସୃଷ୍ଟି ହୋଇଥାଏ । ଧରାକୋଟ ରାଜ୍ୟର ଇତିହାସ ଅତ୍ୟନ୍ତ ଗରିମାମୟ । ବିଶିଷ୍ଟ ରାଜନେତା ଅନନ୍ତ ନାରାୟଣ ସିଂଦେଓ ଏଠାକାର ରାଜା ଥିଲେ । ରାଣୀ ଶାନ୍ତି ଦେବୀ ଏବଂ ରାଜା ଅନନ୍ତ ନାରାୟଣ ସିଂଦେଓଙ୍କର ପୁତ୍ର କିଶୋର ଚନ୍ଦ୍ର ରାଜନୀତିରେ ସଫଳ ବ୍ୟକ୍ତିତ୍ବ ହୋଇଥିବା ବେଳେ ତାଙ୍କ ପତ୍ନୀ ନନ୍ଦିନୀ ଦେବୀ ଏବେ ସାନଖେମୁଣ୍ଡିର ବିଧାୟିକା ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.