ଜନଜାତି ବହୁଳ ଅଂଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା, ପଢନ୍ତୁ କଣ ?

ଭୁବନେଶ୍ବର : କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାରେ ଆଗାମୀ ୪ ବର୍ଷ ଭିତରେ ରାଜ୍ୟର ୧୨ଟି ଢିପଜମି ଥିବା ଜିଲ୍ଲା ବିଶେଷକରି ଜନଜାତି ବହୁଳ ଅଂଚଳର ୪୦ଟି ପଛୁଆ ବ୍ଲକରେ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ପ୍ରାୟ ୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ଯୋଜନା କରାଯାଇଛି। ଏହି କ୍ଲଷ୍ଟର ଗୁଡିକରେ ୪୦ ହଜାର ପରିବାରକୁ ଛେଳି, ମେଣ୍ଢା, କୁକୁଡା ପାଳନ ପାଇଁ ସହାୟତା ଦିଆଯିବ।

ଏହାବାଦ୍‌ ସମ୍ପୃକ୍ତ ଅଂଚଳରେ କୃଷି ଉତ୍ପାଦନର ବଜାର ଚାହିଦା ପାଇଁ ବ୍ୟବସ୍ଥା କରାଯିବ। ରାଜ୍ୟ ସଚିବାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ଏବଂ ଓଡିଶା ଜୀବିକା ମିଶନ ଏବଂ ବିଆରଏଲଏଫ, ପ୍ରଦାନ ସଂସ୍ଥା ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ବିଆରଏଲଏଫ ଏବଂ ପ୍ରଦାନ ସଂସ୍ଥା ସହାୟତାରେ ଯୋଜନା କାର୍ଯ୍ୟକାରୀ କରିବାରେ ସହାୟତା କରିବେ। ଏଥିପାଇଁ ପ୍ରାୟ ୪୦୧.୬୦ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି ।