ରାଜ୍ୟକୁ ଆବଶ୍ୟକ କୋଭିଡ ଟିକା ଯୋଗାଅ: କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟକୁ ଆବଶ୍ୟକ କୋଭିଡ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି। କୋଭିଡ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖି ଅନୁରୋଧ କଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ରାଜ୍ୟରେ ୧୨ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ୮କୋଟି ୧୪ ଲକ୍ଷ ପ୍ରଥମ ଡୋଜ ପ୍ରଦାନ କରାଯାଇଥିବା ବେଳେ ତିନି କୋଟି ୩୦ଲକ୍ଷ ଦ୍ୱିତୀୟ ଡୋଜ ଓ ୧୮ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏକ କୋଟି ୩୧ଲକ୍ଷ ପ୍ରିକସନ ଡୋଜ ପ୍ରଦାନ କରାଯାଇଛି।
ବର୍ତ୍ତମାନ ସୁଦ୍ଧା ୪୧ପ୍ରତିଶତ ଲୋକଙ୍କୁ ପ୍ରିକସନ ଡୋଜ ପ୍ରଦାନ କରାଯାଇଛି। ରାଜ୍ୟରେ ବର୍ତ୍ତମାନ କୌଣସି ଭ୍ୟାକସିନର ଷ୍ଟକ ନାହିଁ। ତେବେ ବିଭିନ୍ନ ବର୍ଗର ନାଗରିକଙ୍କ ଆବଶ୍ୟକତା ଦୃଷ୍ଟିରୁ ଟୀକାକରଣରୁ ବଞ୍ଚିତ ଏକ କୋଟି ୯୩ଲକ୍ଷ ଲୋକଙ୍କୁ ଦେବାକୁ ପ୍ରିକସନ ଡୋଜ ଆବଶ୍ୟକ। ଏଣୁ ଟିକାକରଣରୁ ବଞ୍ଚିତ ଲୋକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିବା ସହ ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରକୁ ଟିକା ଯୋଗାଇ ଦେବାକୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।