ୟୁପି: ସିଲିଣ୍ଡର ବୋଝେଇ ଟ୍ରକ୍‌ରେ ଲାଗିଲା ଭୟଙ୍କର ନିଆଁ, ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ଥରିଉଠିଲା ଅଞ୍ଚଳ

ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାରେ ଏକ ସିଲିଣ୍ଡର ବୋଝେଇ ଟ୍ରକ୍‌ରେ ଭୟଙ୍କର ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଗୋଟିଏ ପରେ ଗୋଟିଏ ସିଲିଣ୍ଡର ବିସ୍ଫୋରଣ କରିଥିଲା ।

ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାରେ ଗତକାଲି ଏକ ସିଲିଣ୍ଡର ବୋଝେଇ ଟ୍ରକ୍‌ରେ ଭୟଙ୍କର ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଗୋଟିଏ ପରେ ଗୋଟିଏ ସିଲିଣ୍ଡର ବିସ୍ଫୋରଣ କରିଥିଲା । ନିଆଁ ଏତେ ଭୟାବହ ଥିଲା ଯେ ଆଖାପାଖ କ୍ଷେତଗୁଡ଼ିକୁ ମଧ୍ୟ ଏହା ବ୍ୟାପିଯାଇଥିଲା । ମୁରାଦାବାଦର ଭୋଜପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି ।

ଖବର ମୁତାବକ, ଏଠାରେ ରାସ୍ତାରେ ଯାଉଥିବା ଏଲ୍‌ପିଜି ସିଲିଣ୍ଡର ବୋଝେଇ ଏକ ଟ୍ରକ୍‌ରେ ହଠାତ୍‌ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ମାତ୍ର କିଛି ମିନିଟ୍‌ ଭିତରେ ଗୋଟିଏ ପରେ ଗୋଟିଏ ସିଲିଣ୍ଡର ଫାଟିବାକୁ ଲାଗିଥିଲା । ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦରେ ଆଖାପାଖ ଅଞ୍ଚଳ ମଧ୍ୟ ଥରି ଉଠିଥିଲା । ତେବେ ଟ୍ରକ୍‌ରେ ନିଆଁ ଲାଗିବା ପରେ ଚାଳକ ଓ ହେଲ୍‌ପର ନିଜ ଜୀବନ ବଞ୍ଚାଇ ଡେଇଁ ପଳାଇ ଯାଇଥିଲେ । ନିଆଁରେ ଟ୍ରକ୍‌ଟି ସମ୍ପୂର୍ଣ୍ଣ ରୂପେ ଜଳି ଛାରଖାର ହୋଇଯାଇଛି ।

ସେପଟେ ସିଲିଣ୍ଡରଗୁଡ଼ିକ ଦୂର ଦୂରକୁ ଗଡ଼ି ଚାଲିଯିବା କାରଣରୁ ପାଖ କ୍ଷେତରେ ମଧ୍ୟ ନିଆଁ ଲାଗିଯାଇଥିଲା । ଏହି ଘଟଣା ଯୋଗୁ ଅନେକ ଘଣ୍ଟା ଧରି ରାସ୍ତା ଜାମ୍‌ ରହିଥିଲା । ବହୁ ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ହେଲେ ସେତେବେଳକୁ ଟ୍ରକ୍‌ଟି ସମ୍ପୂର୍ଣ୍ଣ ଜଳିସାରିଥିଲା ଏବଂ ସବୁ ସିଲିଣ୍ଡର ମଧ୍ୟ ଫାଟିସାରିଥିଲା ।

କୁହାଯାଉଛି ଯେ ସିଲିଣ୍ଡର ବୋଝେଇ ଏହି ଟ୍ରକ୍‌ ମୁରାଦାବାଦ ହୋଇ ଉତ୍ତରାଖଣ୍ଡ ଯାଉଥିଲା । ରାସ୍ତାରେ ଯାଉଥିବା ବେଳେ ମୁରାଦାବାଦ ଜିଲ୍ଲାର ଭୋଜପୁର ଥାନା ଅଞ୍ଚଳରେ ହଠାତ୍‌ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା, ଯାହାପରେ ସିଲିଣ୍ଡରଗୁଡ଼ିକ ଫାଟିବାକୁ ଲାଗିଥିଲା । ଏହି ବିସ୍ଫୋରଣର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଖବର ପାଇ ୫ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏପଟେ ରାସ୍ତା ଏବଂ ଆଖାପାଖ କ୍ଷେତରେ ବହୁ ଦୂର ପର୍ଯ୍ୟନ୍ତ ସିଲିଣ୍ଡର ପଡ଼ିଥିବାର ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.