Below header

ପୁରୀ ପୋଲିସର ସଫଳତା: ବିଭିନ୍ନ ହତ୍ୟାକାଣ୍ଡ ସହ ଅପରାଧିକ କାର୍ଯ୍ୟକଳାପରେ ଥିବା ୭ ବନ୍ଧୁକ ବେପାରୀ ଗିରଫ

ପୁରୀ(କେନ୍ୟୁଜ୍):ପୁରୀ ସହରରେ ବିଭିନ୍ନ ହତ୍ୟାକାଣ୍ଡ ଓ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଏକ ୭ ଜଣିଆ ଆନ୍ତଃ ରାଜ୍ୟ ବନ୍ଧୁକ ବେପାରୀ ଗ୍ୟାଙ୍ଗ ଗିରଫ । ସେମାନଙ୍କଠାରୁ ୪ ଟି ବନ୍ଧୁକ, ୪ଟି ଗୁଳି, ୨ଟି ମୋବାଇଲ ଫୋନ ଓ ୨୫୦୦ ଟଙ୍କା ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ ସଦର ଥାନା ଅଞ୍ଚଳ ରେଣ୍ଡାଗଡ଼ର ଋଷିଆ ଓରଫ ରତିକାନ୍ତ ପରିଡ଼ା ନାଁରେ ୭ଟି ମାମଲା ରହିଛି । ଅନ୍ୟ ଅଭିଯୁକ୍ତମାନେ ହେଲେ ବିକ୍ରମ ପଣ୍ଡା, ଅଶୋକ ସାହୁ, ରୁଦ୍ରପ୍ରସାଦ ରାଉତ, ହରିଶ୍ଚନ୍ଦ୍ର ପୃଷ୍ଟି, ଲୋକନାଥ ଦାଶ ଓ ରଞ୍ଜିତ ମହାନ୍ତି । ପୁରୀ ସଦର, ଟାଉନ ଓ ବଳିଆପଣ୍ଡା ଥାନା ଅଞ୍ଚଳରୁ ଏହି ଅପରାଧୀଙ୍କୁ ଗିରଫ କରାଯାଇଛି । ଏହି ୭ ଜଣଙ୍କ ମଧ୍ୟରୁ ୨ ଜଣ ଚୋରା ବନ୍ଧୁକ ଯୋଗାଇବାରେ ସଂପୃକ୍ତ ଥିଲେ । ଏବର୍ଷ ବର୍ତ୍ତମାନ ସୁଦ୍ଧା ୧୬ଟି ବନ୍ଧୁକ ଜବତ ହୋଇଥିବା ଏସପି କେ.ବିଶାଲ ସିଂହ ସୂଚନା ଦେଇଛନ୍ତି ।

puri sp

ପୁରୀରେ ନିକଟରେ ଲୋକନାଥଙ୍କ ସେବାୟତ ଶିବରାମ ପାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହା ପୂର୍ବରୁ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କର ମଧ୍ୟ ଗୁଳିମାଡ଼ରେ ମୃତ୍ୟୁ ଘଟିଥିଲା । ଏହି ଦୁଇଟି ଘଟଣା ପରେ ସହରରେ ଅବାଧ ଚୋରା ବନ୍ଧୁକ କାରବାର ଚାଲିଥିବା ସ୍ପଷ୍ଟ ହୋଇଥିଲା । ବନ୍ଧୁକ କେଉଁଠୁ ଆସୁଛି ତାର ତଦନ୍ତ ପାଇଁ ୫ ଜଣିଆ ପୋଲିସ ଟିମ୍‌ ଗଠନ କରାଯାଇଥିଲା । ଏହି ଗ୍ୟାଙ୍ଗ ସହ ଆଉ କେଉଁମାନେ ସଂପୃକ୍ତ,ବନ୍ଧୁକ କେଉଁଠୁ ଆଣି କାହାକୁ ଯୋଗାଉଥିଲେ ତାର ଅଧିକ ତଦନ୍ତ ଚାଲିଥିବା ଏସପି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.