ପୁରୀ ଜିଲ୍ଲାବାସୀ ପାଇବେ ଅତ୍ୟାଧୁନିକ ଚିକିତ୍ସା ସେବା, କିଛି ସମୟ ପରେ ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ପୁରୀ(କେନ୍ୟୁଜ୍):  ପ୍ରତୀକ୍ଷାର ଘଟିବ ଅନ୍ତ। ଆଜିଠୁ ଆରମ୍ଭ ହେବ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ । ପୁରୀ ଜିଲ୍ଲାବାସୀ ପାଇବେ ଅତ୍ୟାଧୁନିକ ଚିକିତ୍ସା ସେବା। ଆଜିଠୁ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ପ୍ରଥମ ବ୍ୟାଚ ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହେବ । ପ୍ରଥମ ବ୍ୟାଚ୍‌ରେ ଶହେ ଏମବିବିଏସ ସିଟ୍‌ରେ ଛାତ୍ରଛାତ୍ରୀଙ୍କ ଆଡମିସନ ସରିଛି । ଗୀତଗୋବିନ୍ଦ ଭବନ ପରିସରରେ ଆୟୋଜିତ ଉତ୍ସବରେ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ଏଲ୍‌ ମାଣ୍ଡବୀୟ ମଧ୍ୟ ଯୋଗ ଦେବେ।

ଏହି ମେଡିକାଲ କଲେଜର ନିର୍ମାଣ ପାଇଁ ୫ ଶହ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ଏବେ ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମବିବିଏସ ଛାତ୍ରଛାତ୍ରୀମାନେ ଶିକ୍ଷା ନେବାର ବ୍ୟବସ୍ଥା କରାଯାଇଛି । ଆସନ୍ତା ଦୁଇବର୍ଷ ମଧ୍ୟରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପରିସରରେ ନିଜସ୍ୱ ମେଡିକାଲ ନିର୍ମାଣ ଶେଷ ହେବା ପରେ ଏଠାରେ ଆହୁରି ଅଧିକ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିପାରିବ । ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡର ବାଲିଗୁଆଳିରେ ସ୍ଥାପନ ହୋଇଛି ଶ୍ରୀଜଗନ୍ନାଥ ମେଡିକାଲ କଲେଜ । ଏଠାରେ ଉଭୟ ପର୍ଯ୍ୟଟକ ଓ ପୁରୀ ଜିଲ୍ଲାବାସୀ ଉତ୍ତମ ମାନର ଚିକିତ୍ସା ସୁବିଧା ପାଇ ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.