ଦୁର୍ବଳ ମୌସୁମୀର ପ୍ରଭାବରେ ରାଜ୍ୟରେ ଜାରି ରହିବ ଗୁଳୁଗୁଳି, ୫ ତାରିଖରୁ ପୁଣି ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍): ଦୁର୍ବଳ ପଡ଼ିଛି ମୌସୁମୀ । ବଢୁଛି ଦିନର ତାପମାତ୍ରା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨ ସହରରେ ଦିନର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ରେକର୍ଡ ହୋଇଛି । ସବୁଠୁ ଉତ୍ତପ୍ତ ସହର ଅନୁଗୋଳ । ସେଠାରେ ଦିନର ତାପମାତ୍ରା ୩୬.୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଦୁର୍ବଳ ମୌସୁମୀର ପ୍ରଭାବ ଆହୁରି ଦୁଇ ଦିନ ରହିବ । ପ୍ରଭାବରେ ରାଜ୍ୟରେ ଜାରି ରହିବ ଗୁଳୁଗୁଳି । ତାପରେ ବର୍ଷା ଆଣିବ ଗୁଳୁଗୁଳିରୁ ଆଶ୍ୱସ୍ତି । ୫ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା ବିସ୍ତତି । ୬ ତାରିଖରେ ବର୍ଷା ପରିମାଣ ବଢ଼ିବ ।

ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେପ୍ଟେମ୍ବରରେ ପଛକୁ ପଛ ଦୁଇଟି ଲଘୁଚାପ ଆସୁଛି । ଦୁଇ ସପ୍ତାହରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହୋଇପାରେ । ୮ ତାରିଖ ମଧ୍ୟରେ ଗୋଟିଏ ଓ ୯ରୁ ୧୫ ତାରିଖ ଭିତରେ ଆଉ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ପଛକୁ ପଛ ଲଘୁଚାପ ପ୍ରଭାବରେ ସକ୍ରିୟ ହେବ ମୌସୁମୀ ବାୟୁ । ୫ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ୬ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ଥିବା ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.