Below header

କେନ୍ଦ୍ରାପଡା: ବାଲିସୁଆଁ ଗ୍ରାମରୁ ବିରଳ ଧଳା ରଙ୍ଗର ସାପ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍): କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ବାଲିସୁଆଁ ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା ରଙ୍ଗର ସାପ । ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ଏହି ସାପଟିକୁ ଗତକାଲି ବାଲିସୁଆଁ ଗାଁର ଯୁବକ ଅବିନାଶ ସ୍ୱାଇଁ ରାତି ପ୍ରାୟ ୧୦ ଟା ସମୟରେ ଏକ ରାସ୍ତା ପାର ହେଉଥିବା ବେଳେ ଦେଖିଥିଲେ । ଧଳା ରଙ୍ଗର ଏଭଳି ସାପ ସେ ଆଗରୁ କେବେ ଦେଖି ନଥିଲେ , ତେଣୁ କୋୖତୁହଳ ବଶତଃ ଏକ ବାଡ଼ି ସାହାଯ୍ୟରେ ସେ ସାପଟିକୁ ଏକ ପ୍ଲାଷ୍ଟିକ ଡବା ଭିତରେ ପୁରେଇ ଦେଇଥିଲେ । ଡବା ଭିତରୁ ଫୋଟୋ ଉଠେଇ ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ସେ ସେହି ଫୋଟୋ ଗୁଡିକ ପଠେଇ ସାପଟିକୁ ଚିହ୍ନିବା ପାଇଁ କହିଥିଲେ ।

ଶୁଭେନ୍ଦୁ ଧଳା ଦେହ ଏବଂ କଳା ଆଖି ସହିତ ଏହି ସାପଟିକୁ ଲିଉସିଷ୍ଟିକ ଚିତି ବା Leucistic common krait ବୋଲି ଚିହ୍ନଟ କରିଥିଲେ । ଆଜି ସକାଳୁ ଶୁଭେନ୍ଦୁଙ୍କ ଠାରୁ ନିର୍ଦେଶ ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ନଳିନୀ ପ୍ରସାଦ ଦାସ ବାଲିସୁଆଁ ଗ୍ରାମରେ ପହଞ୍ଚି ସେହି ସାପଟିକୁ ଉଦ୍ଧାର କରିଥିଲେ । ସାପଟିକୁ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ସାପଟି ଚିତି ସାପ ହୋଇଥିବାରୁ ଅନ୍ୟ ଚିତି ସାପ ପରି ତା ପାଖରେ ମାରାତ୍ମକ ନ୍ୟୁରୋଟକ୍ସିକ ବିଷ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.