କେଉଁଠି ମୂଷଳଧାରାରେ ତ ଆଉ କେଉଁଠି ଅବିଶ୍ରାନ୍ତ ବର୍ଷୁଛି, ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି ଜିଲ୍ଲାରେ ବୃଷ୍ଟିପାତରେ ତୀବ୍ରତା ଓ ମାତ୍ରା ଅଧିକ ରହିବ ।

କେନ୍ୟୁଜ୍(ବ୍ୟୁରୋ): ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ଅତ୍ୟଧିକ ସକ୍ରିୟ ହୋଇଛି । ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । କେଉଁଠି ମୂଷଳଧାରାରେ ତ ଆଉ କେଉଁଠି ଅବିଶ୍ରାନ୍ତ ବର୍ଷୁଛି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ରେକର୍ଡ ହୋଇଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ଆଜି ବି ବିସ୍ତୃତି ବର୍ଷା ଜାରି ରହିବ ।

ଆସନ୍ତା ୨୪ ଘଣ୍ଟା ପାଇଁ ୬ ଜିଲ୍ଲା ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡିକୁ ରେଡ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାର କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି ଜିଲ୍ଲାରେ ବୃଷ୍ଟିପାତରେ ତୀବ୍ରତା ଓ ମାତ୍ରା ଅଧିକ ରହିବ । ଅକସ୍ମାତ ବନ୍ୟା ସ୍ଥିତି ଉପୁଜିପାରେ । କିଛି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବା ଆଶଙ୍କା ରହିଛି ।

ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ବଲାଙ୍ଗିରରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ହୋଇଛି । ରାୟଗଡ଼ା ଜିଲ୍ଲା ଆମ୍ବଦୋଳାରେ ୨୦୫ ମିଲିମିଟର, କଳାହାଣ୍ଡି ଜିଲ୍ଲା ଏମ. ରାମପୁରରେ ୧୯୩, ଜଗତସିଂହପୁରରେ ୧୭୭, କନ୍ଧମାଳ ଜିଲ୍ଲାର କୋଟଗଡ଼ରେ ରେକର୍ଡ ହୋଇଛି ୧୭୬ ମିଲିମଟର ବର୍ଷା । ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ଗତ ରାତିରୁ ତୁହାକୁ ତୁହା ବର୍ଷା ଜାରି ରହିଛି । ଲଘୁଚାପ ଆଗାମୀ ଦୁଇ ଦିନ ଯାଏ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ୩ ଦିନର ଲଗାଣ ବର୍ଷାରେ ରାଜ୍ୟରେ ୫ ପ୍ରତିଶତ ନିଅଣ୍ଟିଆ ଭରଣା ହୋଇଛି । …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.