ଅଟୋରେ ନେବାକୁ ଦେଲେ ନାହିଁ, ଡାକ୍ତରଖାନାରୁ ମୃତଦେହକୁ କାନ୍ଧରେ ବୋହି ନେଲେ ପରିବାର ଲୋକେ

ପୁଣି କାନ୍ଧରେ ବୁହା ହେଲା ଶବ। ଶବକୁ ବୋହିନେଲେ ମୃତ ମହିଳାଙ୍କ ସମ୍ପର୍କୀୟ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଡାକ୍ତରଖାନାରେ। ଗତକାଲି ରଣପୁର ବ୍ଲକ ପଟିଆ ଗାଁର ସାଧବ ନାୟକଙ୍କର ସକ୍‌ ଲାଗି ମୃତ୍ୟୁ ହୋଇଥିଲା । ୪୫ ବର୍ଷ ବୟସ୍କ ସାଧବ ନିଜ ଘରେ ବିଦ୍ୟୁତ ବଲବ ସଜାଡିବାକୁ ଯାଇ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ମହିଳା ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପରିବାର ଲୋକେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଙ୍ଗୀ ମେଡିକାଲ ପକ୍ଷରୁ ଘଟଣା ସମ୍ପର୍କରେ ଚାନ୍ଦପୁର ପୋଲିସ ପ୍ରଶାସନକୁ ଜଣାଇ ଦିଆଯାଇଥିଲା।

ଚାନ୍ଦପୁର ପୋଲିସ୍ ପହଞ୍ଚି ତଦନ୍ତ କରିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦେଇଥିଲା । ତେବେ ମୃତଦେହକୁ ନେବା ପାଇଁ ସରକାରୀ ଗାଡ଼ିର ବ୍ୟବସ୍ଥା ନଥିଲା । ତେଣୁ ସେମାନେ ଏକ ଅଟୋର ବ୍ୟବସ୍ଥା କରିଥିଲେ । ହେଲେ ମେଡିକାଲ୍ ପରିସରରେ ଘରୋଇ ଆମ୍ବୁଲାସ୍‌ ଚାଳକମାନେ ଅଟୋରେ ଶବ ନେବାକୁ ବାରଣ କରିଥିଲେ। ଏହାକୁ ନେଇ ପରିବାର ଲୋକେ ଏବଂ ଆମ୍ବୁଲାନ୍ସ ଚାଳକଙ୍କ ମଧ୍ୟରେ ଅନେକ ସମୟ ଧରି ଯୁକ୍ତିତର୍କ ଲାଗିଥିଲା। ଫଳରେ ସବୁଆଡୁ ହତାଶ ଓ ନିରାଶ ହୋଇ ପରିବାର ଲୋକେ ମହିଳାଙ୍କ ଶବକୁ କାନ୍ଧରେ ବୋହି ବୋହି ନେବାକୁ ବାଧ୍ୟ ହୋଇଥିଲେ। ସେ ଦୃଶ୍ୟ ଦେଖି ଲାଗୁଥିଲା ପଇସା ଆଗରେ ଯେମିତି ମରିଯାଇଛି ମଣିଷ ପଣିଆ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.